ଅପ୍ରତ୍ୟାଶିତ ବର୍ଷା ପାଇଁ ବନ୍ୟା - ମୁଖ୍ୟ ଶାସନ ସଚିବ

ଅପ୍ରତ୍ୟାଶିତ ବର୍ଷା ପାଇଁ ବନ୍ୟା - ମୁଖ୍ୟ ଶାସନ ସଚିବ
Samaya Live News Picture
Published On

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ଅପ୍ରତ୍ୟାଶିତ ଓ ଅତ୍ୟଧିକ ବର୍ଷା ଯୋଗୁଁ ହୋଇଛି ବୋଲି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ପଷ୍ଟ କରିଛନ୍ତି । ବିରୋଧୀ ଦଳଙ୍କ ପକ୍ଷରୁ ଏହାକୁ 'ମନୁଷ୍ୟକୃତ ବନ୍ୟା' ବୋଲି କରାଯାଉଥିବା ଅଭିଯୋଗକୁ ସେ ଖଣ୍ଡନ କରିବା ସହ ଏହା ପ୍ରଶାସନିକ ଅବହେଳା ନୁହେଁ ବରଂ ପ୍ରାକୃତିକ ବିପର୍ଯ୍ୟୟ ବୋଲି କହିଛନ୍ତି ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି , ଲଗାତାର ତିନି ଦିନ ଧରି ଗଞ୍ଜାମ ଜିଲ୍ଲାରେ ଅସ୍ୱାଭାବିକ ବର୍ଷା ହୋଇଥିଲା । କେବଳ ପାତ୍ରପୁର ବ୍ଲକରେ ଗୋଟିଏ ଦିନରେ ୫୪୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ୧୯୯୦ ଏବଂ ୨୦୧୩ ମସିହାର ପ୍ରବଳ ବର୍ଷାଠାରୁ ମଧ୍ୟ ଅଧିକ । ତିନି ଦିନରେ ଯଥାକ୍ରମେ ୮୯ ମିମି, ୫୪୬ ମିମି ଏବଂ ୧୭୩ ମିମି ବର୍ଷା ହୋଇଥିବା ସେ ସୂଚନା ଦେଇଛନ୍ତି ।

ସେପଟେ, ଜଳଭଣ୍ଡାର ପରିଚାଳନାରେ କୌଣସି ଅବହେଳା ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଡ୍ୟାମର ସୁରକ୍ଷା ଏବଂ ଜଳପ୍ରବାହର ମାତ୍ରାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ନିୟମ (SOP) ଅନୁଯାୟୀ ପର୍ଯ୍ୟାୟକ୍ରମେ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଇଥିଲା।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଉଠାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟର ପ୍ରତିନିଧି ଦଳ ବନ୍ୟାଞ୍ଚଳ ପରିଦର୍ଶନ କରି ରିପୋର୍ଟ ଦାଖଲ କରିଛନ୍ତି । ଉକ୍ତ ରିପୋର୍ଟରେ ମଧ୍ୟ ଅପ୍ରତ୍ୟାଶିତ ବର୍ଷା ହିଁ ବନ୍ୟାର ମୁଖ୍ୟ କାରଣ ବୋଲି ଉଲ୍ଲେଖ ରହିଛି ।

ଏହି ପ୍ରାକୃତିକ ବିପର୍ଯ୍ୟୟରେ କୌଣସି ଜୀବନହାନି ଘଟିନାହିଁ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଏବଂ କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ପ୍ରାୟ ଶେଷ ହୋଇଛି ଏବଂ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି ।  

Tags: