ହୀରାକୁଦ ଜଳଭଣ୍ଡାର ରୁ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ

ହୀରାକୁଦ ଜଳଭଣ୍ଡାର ରୁ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କ୍ରମାଗତ ଭାବେ ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୩ ଦଶମିକ ୩୯ ଫୁଟରେ ପହଞ୍ଚିଛି । ଉପର ମୁଣ୍ଡରୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୦ ହଜାର ୨୦୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ, ଜଳଭଣ୍ଡାରରୁ ୧ ଲକ୍ଷ ୮୬ ହଜାର ୧୩୩ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି । ଜଳଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ବର୍ତ୍ତମାନ ୧୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଛି । ସୋମବାର ୪ଟି ଗେଟ୍‌ ଖୋଲାଯାଇଥିବାବେଳେ  ମଙ୍ଗଳବାର ପର୍ଯ୍ୟାୟକ୍ରମେ ଆଉ ୬ଟି ଗେଟ୍‌ ଖୋଲାଯାଇଛି । ମୋଟ ୧୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ହୀରାକୁଦରୁ ଜଳ ନିଷ୍କାସନ ଜାରି ଥିବାରୁ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି ।

ସୂଚନା ଯୋଗ୍ୟ, ଗତ ୯ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇ ୧୦ଟି ସ୍ଲୁଇସ ଗେଟ ଖୋଲା ଯାଇଥିଲା ଓ ଗତ ୧୪ ତାରିଖରେ ସମସ୍ତ ଗେଟକୁ ବନ୍ଦ କରି ଦିଆଯାଇଥିଲା । ପୁଣିଥରେ ଗତ ୧୯ ତାରିଖରେ ୪ଟି ଓ ମଙ୍ଗଳବାର ପୁଣି ୪ଟି ମିଶି ମୋଟ ୮ଟି ସ୍ଲୁଇସ ଗେଟ ଜରିଆରେ ହୀରାକୁଦ ଜଳଭଣ୍ଡାରରୁ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି । ଏହି ସମୟରେ ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ନଦୀ ଭିତରକୁ ନ ଯିବା, ମାଛ ଧରିବା କିମ୍ବା ଅନାବଶ୍ୟକ ଭାବେ ନଦୀ ନିକଟକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ସ୍ଥିତି ଉପରେ ଜଳ ସମ୍ପଦ ବିଭାଗ ଓ ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଛି ।

ସେପଟେ, ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ପ୍ରବଳ ବର୍ଷା ନେଇ ଆଜି ପାଇଁ ୧୧ ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

Tags: