ସାପ କାମୁଡ଼ାରେ ଗୋଟିଏ ଦିନରେ ୫ ଜଣଙ୍କ ମୃତ୍ୟୁ
ରାଉରକେଲା/ବଣାଇ/ଜଳେଶ୍ୱର : ଲଗାଣ ବର୍ଷା ଯୋଗୁଁ ବନ୍ୟା ଦାଉ ସାଧୁ ଥିବାବେଳେ ଦିନକୁ ଦିନ ବଢି ଚାଲିଛି ସାପ କାମୁଡା ଭୟ । ପ୍ରାୟ ପ୍ରତିଦିନ ବିଭିନ୍ନ ସ୍ଥାନରୁ ସାପ କାମୁଡ଼ା ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଆଜି ଗୋଟିଏ ଦିନରେ ସାପ କାମୁଡ଼ାରେ ୫ଜଣଙ୍କର ମୄତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ଗତ ରାତିରେ ସୁନ୍ଦରଗଡ଼ ଲାଠିକଟା ଥାନା ଅନ୍ତର୍ଗତ ହାତୀଓଡ଼ା ଗାଁରେ ଭାଇ ଭଉଣୀ ଘରେ ଶୋଇଥିବାବେଳେ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ଭାଇ ଭଉଣୀଙ୍କ ବୟସ ୭ ଏବଂ ୧୦ବର୍ଷ ।
ସେହିପରି ଗତକାଲି ରାତିରେ ବଣାଇ ରେ ମଧ୍ୟ ଘଟିଛି ବଡ଼ ଅଘଟଣ । ବଣାଇ ଟୀକାୟତପାଲି ଥାନା ଅନ୍ତର୍ଗତ ତିଳେଇମାଲି ଭୂୟାଁ ସାହିରେ ଅଜା ନାତି ଘରେ ଶୋଇଥିବାବେଳେ ସାପ କାମୁଡ଼ାରେ ଅଚେତ ହୋଇ ପଡ଼ିଥିଲେ । ଘର ଲୋକେ ସେମାନଙ୍କୁ ସଙ୍ଗେସଙ୍ଗେ ବଣାଇ ଡାକ୍ତରଖାନାକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ, ବାଲେଶ୍ବରରେ ମଧ୍ୟ ବନ୍ୟା ପରେ ସାପ ଆତଙ୍କ ଦେଖିବାକୁ ମିଳିଛି । ସାପ କାମୁଡାରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ମୃତକ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ବିଷ୍ଣୁପୁର ଗାଁର ଭଗବାନ ପ୍ରମାଣିକଙ୍କ ଝିଅ ନନ୍ଦିତା ପ୍ରମାଣିକ । ଘର ବାହାରେ ଶୋଇଥିବା ବେଳେ ନନ୍ଦିତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।




