ନେପାଳ ବିଭିଷୀକାରେ ୫ ଓଡ଼ିଆ ନିଖୋଜ
ଭୁବନେଶ୍ୱର : ନେପାଳରେ ପ୍ରକୃତିର ତାଣ୍ଡବ ଲୀଳା । ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ସଠିକ ବିବରଣୀ ମିଲିପାଇନାହିଁ । ତେବେ ଶତାଧିକ ଅଘଟଣର ଶିକାର ହୋଇଥିବା ଆକଳନ କରାଯାଉଛି । ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫ଜଣ ଓଡ଼ିଆ ନିଖୋଜ ହୋଇଥିବା ସୂଚନା । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜେମାଦେଇ ନିବାସୀ ପ୍ରତାପ ମହାପାତ୍ରଙ୍କ ପୁଅ ସନ୍ଦୀପ ସାହୁ ଏବଂ ତାଙ୍କ ପତ୍ନୀ ଶିଧ୍ୟାର୍ଥୀ ସାହୁ ଅଷ୍ଟ୍ରେଲିଆରୁ ଛୁଟି କାଟିବାକୁ ଆସି ନିଖୋଜ ଥିବା ସୂଚନା ମିଳିଛି । ସେହିପରି ବରଗଡ଼ ଜିଲ୍ଲାର ନୁନିଆଜାମପାଲିର ଗୁନ୍ନାମ ଜୟକ୍ରିଷ୍ଣା, ଗୁନ୍ନାମ ସାଇ ବିନ୍ଦୁ କୁମାରୀ ଏବଂ ତାଙ୍କ ଅଢେଇ ବର୍ଷର ଝିଅ ଗୁନ୍ନାମ ହରେକ୍ସା ନିଖୋଜ ଅଛନ୍ତି । ଅନ୍ୟପଟେ,ପୁରୀ ଜିଲ୍ଲାର ରାକେଶ କୁମାର ପଣ୍ଡା, ଆକାଶ ପଣ୍ଡା ଓ ଶଙ୍କର ପଣ୍ଡାଙ୍କୁ ଫେରାଇ ଆଣିଥିବାବେଳେ ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର କୁଳସୁମ ନିଗାର ସୁରକ୍ଷିତ ଥିବା ଜଣାପଡିଛି ।
ସେପଟେ, ନେପାଳ ଯାଇଥିବା ଓଡ଼ିଶାର ୬ ଜଣ ଫୁଟବଲ୍ ଖେଳାଳିଙ୍କୁ ନେଇ ମଧ୍ୟ ଚିନ୍ତାର କାରଣ ନାହିଁ। କୋଚ୍ ହଲିମଙ୍କ ସହ ଏହି ଖେଳାଳିମାନେ ନେପାଳର ପୋଖରାରେ ଏକ ଫୁଟବଲ୍ ମ୍ୟାଚ୍ ଖେଳିବାକୁ ଯାଇଥିଲେ । କୋଚଙ୍କ ସୂଚନା ଅନୁଯାୟୀ ସମସ୍ତ ୬ ଖେଳାଳି ସୁରକ୍ଷିତ ଅଛନ୍ତି । ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସେମାନଙ୍କୁ ଫେରାଇ ଆଣିବାକୁ ଦାୟିତ୍ୱ ଦିଆଯାଇଛି । ଏନେଇ ଓଡ଼ିଶା ସରକାର ନେପାଳ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ।
ସୂଚନାନୁସାରେ, ସନ୍ଦୀପ ୨୦୧୮ ମସିହାରେ ଅଷ୍ଟ୍ରେଲିଆରେ ଚାକିରୀ କରୁଥିଲେ । ୩ ଦିନ ତଳେ ସେ ଏବଂ ତାଙ୍କ ପତ୍ନୀ ନେପାଳ ବୁଲିବାକୁ ଯାଇଥିଲେ । ନେପାଳର ବନ୍ୟା ଏବଂ ଭୂସ୍ଖଳନରେ ସନ୍ଦୀପ ଯାଉଥିବା ଏକ ବସଟି ଭାସି ଯାଇଥିବାର ଅନୁମାନ କରାଯାଉଛି ।
ଗୁରୁବାର ସକାଳୁ ବିଭିନ୍ନ ଗଣମାଧ୍ୟମରୁ ତାଙ୍କ ପରିବାର ଲୋକ ଖବର ପାଇବାପରେ ଭାଙ୍ଗି ପଡିଛନ୍ତି । ସନ୍ଦିପ ୨୫ ତାରିଖ ଦିନ ତାଙ୍କ ସାନ ଭାଇଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ । ନେପାଳରେ ବୁଲାବୁଲି କରୁଛନ୍ତି ବୋଲି ସୂଚନା ମଧ୍ୟ ଦେଇଥିଲେ । ତେବେ ଏହା ପରଠାରୁ ବତାଙ୍କର ଆଉ କୌଣସି ଖୋଜ ଖବର ମିଳିନାହିଁ ।
ସନ୍ଦୀପ ମହାପାତ୍ରଙ୍କ ଏକ ମାତ୍ର ପୁଅର କିଛି ମାସ ତଳେ ବ୍ରତ ଘର ଏହି ଖୋରଧାରେ ସମାପନ ହୋଇଥିଲା । ପୁଅ ବର୍ତ୍ତମାନ ବ୍ରହ୍ମପୁର ଅଜା ଘରେ ରହୁଛି । ସନ୍ଦୀପ ଏବଂ ତାଙ୍କ ପତ୍ନୀଙ୍କ ସମ୍ପର୍କରେ ଖବର ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଉଦ୍ୟମ ଚାଲିଛି ।




