ରାଜଧାନୀରେ ଫିଟନେସ୍ ମହାବିପ୍ଳବ: ବିଶ୍ୱସ୍ତରୀୟ ଜିମ୍ ‘ଭାରତ ଫିଟନେସ୍ ଡେନ୍ ଏନ୍‌ହାନ୍ସଡ୍’ର ଶୁଭାରମ୍ଭ

ରାଜଧାନୀରେ ଫିଟନେସ୍ ମହାବିପ୍ଳବ: ବିଶ୍ୱସ୍ତରୀୟ ଜିମ୍ ‘ଭାରତ ଫିଟନେସ୍ ଡେନ୍ ଏନ୍‌ହାନ୍ସଡ୍’ର ଶୁଭାରମ୍ଭ
Samaya Live News Picture
Published On

ମନ୍ଦିରମାଳିନୀ ସହର ଭୁବନେଶ୍ୱର ଏବେ କଳା ଓ ସଂସ୍କୃତି ସହ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ କ୍ଷେତ୍ରରେ ଏକ ନୂତନ ଇତିହାସ ରଚିଛି। କୁମାର ଭାରତ ଭୂଷଣ ମହାଳିକଙ୍କ ଏକ ବିଶ୍ୱସ୍ତରୀୟ ଜ୍ଞାନକୌଶଳ ଓ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ପୂର୍ବ ଭାରତର ଅନ୍ୟତମ ପ୍ରିମିୟମ୍ ଫିଟନେସ୍ କେନ୍ଦ୍ର ‘ଭାରତ ଫିଟନେସ୍ ଡେନ୍ ଏନ୍‌ହାନ୍ସଡ୍’ ରାଜଧାନୀର ଏୟାରପୋର୍ଟ ରୋଡ୍ ନିକଟରେ ଉଦ୍‌ଘାଟିତ ହୋଇଛି। ଜୟଦେବ ବିହାର ଶାଖାର ଅପାର ସଫଳତା ପରେ ଏହା ସଂସ୍ଥାର ଦ୍ୱିତୀୟ ତଥା ସବୁଠାରୁ ବିଶାଳ ପ୍ରକଳ୍ପ କହିଛନ୍ତି ଶ୍ରୀଯୁକ୍ତ ମହାଳିକ । 

ପ୍ରାୟ ୨୪,୦୦୦ ବର୍ଗଫୁଟର ଏହି ସୁବିଶାଳ ପରିସରରେ ଆମେରିକା ଓ ଦୁବାଇ ମାନଦଣ୍ଡର ହୋଏଷ୍ଟ୍, ପନାଟା ଏବଂ ହାମର ଷ୍ଟ୍ରେନ୍ଥ ଭଳି ବ୍ରାଣ୍ଡର ୧୫୦ରୁ ଊର୍ଦ୍ଧ୍ୱ ଅତ୍ୟାଧୁନିକ ଉପକରଣ ଖଞ୍ଜାଯାଇଛି। ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି, ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ୟାୟାମ ପରବର୍ତ୍ତୀ ଶରୀର ପୁନରୁଦ୍ଧାର (Recovery) ନିମନ୍ତେ ରେଡ୍ ଲାଇଟ୍ ଥେରାପି, ଇନଫ୍ରାରେଡ୍ ସୋନା, ଆଇସ୍ ବାଥ୍ ଏବଂ ହାଇଡ୍ରୋ ମସାଜ୍ ଭଳି ସ୍ୱତନ୍ତ୍ର ୱେଲନେସ୍ ସୁବିଧା ଉପଲବ୍ଧ କରାଯାଇଛି। ଏହାସହ ଯୁବପିଢ଼ିଙ୍କ ପସନ୍ଦର ହାଇରକ୍ସ (Hyrox) ଟ୍ରେନିଂ, କାର୍ଡିଓ, ଜୁମ୍ବା ଓ ଯୋଗ ପାଇଁ ସ୍ୱତନ୍ତ୍ର ଫ୍ଲୋର୍ ବ୍ୟବସ୍ଥା ରହିଛି।

ଏହି ବର୍ଣ୍ଣାଢ଼୍ୟ ଉଦ୍‌ଘାଟନୀ ସମାରୋହରେ ବଲିଉଡ୍ ଅଭିନେତା ତଥା ‘ମିଷ୍ଟର ୱାର୍ଲ୍ଡ’ ଠାକୁର ଅନୁପ ସିଂହ, ‘ମିଷ୍ଟର ଇଣ୍ଡିଆ’ ନରେନ୍ଦର ଯାଦବ ଓ ମୁମ୍ବାଇର ପ୍ରଖ୍ୟାତ ଲାଇଫଷ୍ଟାଇଲ୍ କୋଚ୍ ଇକବାଲ ସୟଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନୁପ ସିଂହ କହିଥିଲେ ଯେ, ଫିଟନେସ୍ କେବଳ ବଡିବିଲ୍ଡରଙ୍କ ପାଇଁ ସୀମିତ ନୁହେଁ। ୧୩ ବର୍ଷର କିଶୋରଠାରୁ ଆରମ୍ଭ କରି ୬୦ ବର୍ଷର ବ୍ୟକ୍ତିଙ୍କ ପର୍ଯ୍ୟନ୍ତ, ନିଜକୁ ନିଜର ଶ୍ରେଷ୍ଠ ରୂପ ଦେବା ପାଇଁ ଏହା ଏକ ଅପରିହାର୍ଯ୍ୟ ଜୀବନଶୈଳୀ ହେବା ଆବଶ୍ୟକ।

ଏହି ଅବସରରେ ସଂସ୍ଥାର ସଫଳତା ପଛର ପ୍ରକୃତ ହିରୋ ଅର୍ଥାତ୍ ଟ୍ରେନର, ଆଥଲେଟ୍ ଓ ହାଉସକିପିଂ ଷ୍ଟାଫ୍‌ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜର ସବୁ ବର୍ଗର ଲୋକଙ୍କୁ ସୁସ୍ଥ ରଖିବା ଲକ୍ଷ୍ୟରେ ଏକ ସୁଲଭ ବାର୍ଷିକ ସଦସ୍ୟତା ଶୁଳ୍କ ଏବଂ ସ୍ୱତନ୍ତ୍ର ଉଦ୍‌ଘାଟନୀ ରିହାତି ମଧ୍ୟ ଘୋଷଣା କରାଯାଇଛି । ଏହି ଅନୁଷ୍ଠାନ କେବଳ ଏକ ବ୍ୟବସାୟିକ କେନ୍ଦ୍ର ନୁହେଁ, ବରଂ ଓଡ଼ିଶାର ଫିଟନେସ୍ ସଚେତନତାର ଏକ ନୂତନ ଯୁଗର ପ୍ରାରମ୍ଭ ।

Tags: