ଅଗ୍ନିକାଣ୍ଡରେ ମାଛ ମାର୍କେଟ ଭସ୍ମ
ବ୍ୟାଙ୍କ ସହ ଜଳିଗଲା ୩୦ଦୋକାନ
କଟକ : ଅଗ୍ନିକାଣ୍ଡରେ କଟକ ମଧୁପାଟଣା ଛକରେ ଥିବା ମାଛ ଗୋଦାମ ଭସ୍ମ । ଦୀର୍ଘ ୭ ଘଣ୍ଟା ଧରି ଜଳୁଛି ମାଛ ଗୋଦାମ । ସାରା ଅଞ୍ଚଳ ଧୁଆଁମୟ ହୋଇଯାଇଛି । ଗତ ବିଳମ୍ବିତ ରାତି ୨ରୁ ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ପାଖରେ ଥିବା ଏକ ୬ତାଲା ବିଶିଷ୍ଟ ବଡ଼ ବିଲ୍ଡିଂ କୁ ନିଆଁ ବ୍ୟାପି ଯାଇଥିଲା । ବିଲ୍ଡିଂ ରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ସହ ପ୍ରାୟ ୩୦ଟି ଦୋକାନ ନିଆଁରେ ଭସ୍ମ ହୋଇଯାଇଛି I ଘଟଣାସ୍ଥଳରେ ଦମକଳ ବାହିନୀର ୮ରୁ ଅଧିକ ଗାଡ଼ି ନିୟୋଜିତ ରହିଛି । ତଥାପି ନିଆଁକୁ ଆୟତ୍ତ କରାଯାଇ ପାରି ନଥିବା ସୂଚନାମିଳିଛି । ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁର ପ୍ରକୋପ ଏତେ ଥିଲା ଯେ, ଓଭରବ୍ରିଜ ଉପର ଯାଏଁ ନିଆଁ ଉଠିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି ।
ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୨ରେ ହଠାତ କଟକ ମଧୁପାଟଣା ଛକରେ ଥିବା ମାଛ ଗୋଦାମରେ ନିଆଁ ଲାଗିଥିବା ସୂଚନା ମିଳିଥିଲା । ନିଆଁ କୁ ଆୟତ୍ତ କରିବା ପାଇଁ ପ୍ରଥମେ ୩ଟି ଦମକଳ ଗାଡି ନିୟୋଜିତ ହୋଇଥିଲେ । କିନ୍ତୁ ସେତେବେଳକୁ ନିଆଁ ପ୍ରଚଣ୍ଡ ବେଗରେ ବ୍ୟାପିଯାଇ ପାଖରେ ଥିବା ଏକ ବିଲ୍ଡିଂରେ ଲାଗିଯାଇଥିଲେ । ସେଠାରେ ଥିବା ଏକ ରଙ୍ଗ ଗୋଦାମରେ ନିଆଁ ଲାଗିଯିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟ ହୋଇପଡ଼ିଥିଲା । ଏହାପରେ ପୁଣି ଆଉ ୫ଟି ଦମକଳ ଗାଡି ଘଟଣାସ୍ଥଳକୁ ଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ନିଆଁ ଆୟତ୍ତ ହୋଇ ପାରିନଥିବା ସୂଚନା ମିଳିଛି । ସମ୍ପୂର୍ଣ୍ଣ ମାଛ ଗୋଦାମ ଭସ୍ମ ହେବା ସହ ମାଛ ବ୍ୟବସାୟୀଙ୍କର ୫୦ରୁ ୬୦ ଲକ୍ଷ ଟଙ୍କା ନଗଦ କ୍ୟାସ୍ ଜଳି ଯାଇଛି । ବିଡା ବିଡା ଟଙ୍କା ପୋଡି ଯାଇଥିବା ଦେଖା ଯାଇଛି । ଗତକାଲି ରବିବାରରେ ଭଲ ବେପାର ହୋଇଥିବା ବେଳେ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ରଖି ପାରିନଥିଲେ । ସମ୍ଭବତଃ ଆଜି ଟଙ୍କା ଡିପୋଜିଟ୍ କରିଥାନ୍ତେ । ତେବେ ବିଲ୍ଡିଂରେ ଥିବା ବ୍ୟାଙ୍କମଧ୍ୟ ନିଆଁରେ ଜଳୁଥିବା ଦେଖାଯାଉଛି । ନିଜର କଷ୍ଟ ଉପାର୍ଜିତ ଧନକୁ ହରାଇ ବ୍ୟବସାୟୀମାନେ ଭାଙ୍ଗି ପଡିଛନ୍ତି ।




