ରାଜ୍ୟରେ ଅଗ୍ନିଵର୍ଷା, ୪୬ ଡିଗ୍ରୀ ଛୁଇଁଲା ପାରଦ
ଭୁବନେଶ୍ୱର : ଆକାଶରୁ ବର୍ଷୁଛି ନିଆଁ । ଅଗ୍ନି ପିଣ୍ଡୁଳାରେ ପରିଣତ ହେଲାଣି ସାରା ରାଜ୍ୟ । ପଶ୍ଚିମ ଓଡ଼ିଶାରେ ବର୍ଷୁଛି ନିଆଁ । ଉପକୂଳ ଓଡ଼ିଶା ଗରମ ସହ ଗୁଳୁଗୁଳିରେ ଛଟପଟ ହେଉଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ୪୬ ଡିଗ୍ରୀ ଛୁଇଁଲା ପାରଦ । ରାଜ୍ୟରେ ଦୁଇ ଦୁଇଟି ସ୍ଥାନରେ ପାରଦ ୪୬ ଡିଗ୍ରୀ ଛୁଇଁଛି । ଗତକାଲି ଝାରସୁଗୁଡ଼ା ଓ ସମ୍ବଲପୁରରେ ସର୍ବାଧିକ ୪୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଥିଲା । ଆଜି ମଧ୍ୟ ସ୍ଥିତି ସମାନ ରହିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ବୌଦ୍ଧ, ସୋନପୁର, ଅନୁଗୁଳ ଏବଂ ଟିଟିଲାଗଡ଼ରେ ୪୫ ଡିଗ୍ରୀ ଟପିବା ସମ୍ଭାବନା ରହିଛି । ତେବେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ସତର୍କ କରିଛି ପାଣିପାଗ ବିଭାଗ । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ବିଭାଗକୁ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ କୁହାଯାଇଛି ।
ଆଜିମଧ୍ୟ ଦୁଇ ତିନିଟି ସ୍ଥାନକୁ ଛାଡ଼ି ଅନ୍ୟ ସବୁଠି ୪୦ ଡିଗ୍ରୀ ଟପିବ ତାପମାତ୍ରା । ପ୍ରଚଣ୍ଡ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଗରମ ଓ ଗୁଳୁଗୁଳି ପାଇଁ ଅଧିକାଂଶ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୧୯ ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଥିବା ବେଳେ ସମ୍ବଲପୁର ଓ ବଲାଙ୍ଗିରକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି କାଳବୈଶାଖୀ ପାଇଁ ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ ଏବଂ ଖୋରଧା ଜିଲାକୁ କାଳବୈଶାଖୀ ନିମନ୍ତେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ।




