୧୧.୩୦ ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର : ଲଗାତାର ୪ ଦିନ ଧରି ଗୃହ ଅଚଳ । ଏସ୍ସିବି ଘଟଣାକୁ ନେଇ ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ । ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଗୃହ ମଧ୍ୟ ଭାଗକୁ ଆସି ପ୍ଲାକାର୍ଡ ଧରି ହୋହଲ୍ଲା କରୁଛନ୍ତି ବିରୋଧୀ । ତାହା ସହ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ ମଧ୍ୟ କରିଛନ୍ତି। ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକୁ ୧୧ଟା ୩୦ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି।
ଏସସିବି ଅଗ୍ନିକାଣ୍ଡକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି। ଏହି ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି। ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ହଲ୍ଲାବୋଲ। ଏସସିବି ନିଆଁ ତାତିରେ ଗୃହ ହୁଲୁସ୍ତୁଲୁ।
ଅନ୍ୟପଟେ, ଗତକାଲି ମଧ୍ୟ ବିରୋଧୀ ସମାନ ଢଙ୍ଗରେ ପ୍ରତିବାଦ କରିଥିଲେ । ଏହାକୁ ନେଇ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଥିଲେ ବିରୋଧୀ ଦଳ ନାଟକବାଜି କରି ଶବ ଉପରେ ଶୋଭାଯାତ୍ରା କରୁଛନ୍ତି । ପୀଡ଼ିତ ପରିବାରକୁ ଉପହାସ କରୁଛନ୍ତି । ବିଧାନସଭାରେ ଜଳସମ୍ପଦ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।



