ରାଜଧାନୀରେ ନିଆଁ ବର୍ଷା, ଭୀଷଣ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି

ରାଜଧାନୀରେ ନିଆଁ ବର୍ଷା, ଭୀଷଣ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି
Samaya Live News Picture
Published On

ଭୁବନେଶ୍ୱର : ଅଗ୍ନି ବଳୟ ଭିତରେ ରାଜଧାନୀ ଭୁବନେଶ୍ୱର। ଭୀଷଣ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ରେ ହନ୍ତସନ୍ତ ରାଜଧାନୀବାସୀ। ସକାଳ ୫ଟାରୁ ସନ୍ଧ୍ୟା ୫ଟା ଯାଏଁ ତାତିରେ ଲାଗୁନି ବ୍ରେକ। ବାହାର କଥା ତ ଛାଡ଼ନ୍ତୁ ଘର ଭିତରେ ବି ଝାଳ ସର ସର ରେ ଅସ୍ତବ୍ୟସ୍ତ ହେଉଛି ଜୀବନ। ଆଜି ସକାଳ ୫ଟା ୩୦ ବେଳକୁ ତାତି ୩୮ଡିଗ୍ରି ଥିବା ବେଳେ ଆର୍ଦ୍ରତା ୮୭ ପ୍ରତିଶତ ରହିଥିଲା। ସାଢ଼େ ୮ଟା ସୁଦ୍ଧା ୩୩ ଡିଗ୍ରୀ ତାପମାତ୍ରା ହୋଇଥିବାବେଳେ ଆଦ୍ରତା ରହିଛି ୭୭% । ସେହିପରି, ସକାଳ ୧୧ଟା ବେଳକୁ ୩୯ ଡିଗ୍ରୀ ତାତି ରହଇଥିବାବେଳେ ହିଟ୍ ଇଣ୍ଡେକ୍ସରେ ୪୯ ଡିଗ୍ରି ରହିଛି । ଗରମ ଗୁଳୁଗୁଳିରେ ଲୋକେ ତ୍ରାହୀ ତ୍ରାହୀ ଡାକିଲେଣି । କାମ ନଥିଲେ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି । ପ୍ରଚଣ୍ଡ ଖରାରେ ରାସ୍ତାଘାଟ ଶୂନଶାନ୍ ହୋଇ ପଡୁଛି । ଗତକାଲି ରାଜଧାନୀରେ ୪୧ ଡିଗ୍ରି ଉପରେ ପାରଦ ରହିଥିଲା । ହେଲେ ୫୦ ଡିଗ୍ରି ଭଳି ତାତି ଅନୁଭବ କରିଥିଲେ ରାଜଧାନୀବାସୀ । ଡିହାଇଡ୍ରେସନ୍‌ ଓ ହିଟ୍‌-ଷ୍ଟ୍ରୋକ୍‌ ଭୟ ବଢ଼ିଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରଚୁର ପାଣି ପିଇବା ସହ ଦିନ ୧୨ଟାରୁ ୪ଟା ମଧ୍ୟରେ ବାହାରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ।

ଏପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନେକ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ଗରମ ସହ କାଳବୈଶାଖୀ ଏବଂ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ସମେତ ଅନ୍ୟାନ୍ୟ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ।

Tags: