ସିନେ ପ୍ରଯୋଜକ ରବୀନ୍ଦ୍ର ସାହୁଙ୍କ ପରଲୋକ
ଭୁବନେଶ୍ୱର : ଓଡ଼ିଶାର ଜଣାଶୁଣା ସିନେ ପ୍ରଯୋଜକ ତଥା ବ୍ୟବସାୟୀ ରବୀନ୍ଦ୍ର ମୋହନ ସାହୁଙ୍କ ପରଲୋକ । ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ସେ ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିଲେ। ପତ୍ନୀଙ୍କ ସମେତ ୫ ପୁଅ ଏବଂ ଜଣେ ଝିଅକୁ ଛାଡି ଯାଇଛନ୍ତି ରବୀନ୍ଦ୍ର I
ରବୀନ୍ଦ୍ର ମୋହନ ସାହୁଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଛବି ଥିଲା ‘ଏଇ ତ ଦୁନିଆଁ’। ଏହା ସୁପରହିଟ୍ ହେବା ପରେ ରବୀନ୍ଦ୍ର ମୋହନ ସାହୁ କ୍ରମାଗତ ଭାବେ ଓଡ଼ିଆ ସିନେମା ନିର୍ମାଣରେ ମନୋନିବେଶ କରିଥିଲେ। ସେ ଜଣେ ଅଭିନେତା, କାହାଣୀକାର ଓ ଗୀତିକାର ମଧ୍ୟ। ଏହାପରେ ସେ ଅଶୀ ଦଶକରେ ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇ ଥରେ କେନ୍ଦ୍ରାପଡ଼ା ପୌରପାଳିକାର କାଉନସିଲର୍ ଭାବେ ନିର୍ବାଚିତ ହୋଇଥିଲେ। ଏହାଛଡ଼ା କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ସେ ମଧ୍ୟ କେନ୍ଦ୍ରାପଡ଼ା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସଭାପତି ଥିଲେ। ତାଙ୍କ ବିୟୋଗରେ କେନ୍ଦ୍ରାପଡା ସମେତ ଓଲିଉଡରେ ଶୋକର ଛାୟା ଖେଳିଯାଇଛି।




