ମହିଳା ଆଇଆଇସିଙ୍କ ମୃତ୍ୟୁ ଶ୍ବାସରୁଦ୍ଧ ଜନିତ - ରିପୋର୍ଟ

ମହିଳା ଆଇଆଇସିଙ୍କ ମୃତ୍ୟୁ ଶ୍ବାସରୁଦ୍ଧ ଜନିତ - ରିପୋର୍ଟ
Samaya Live News Picture
Published On

କଟକ : ଚାଉଳିଆଗଞ୍ଜ ଆଇଆଇସି ବ୍ୟୁଟି ମହାନ୍ତିଙ୍କ ମୃତ୍ୟୁ ର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଶ୍ବାସରୁଦ୍ଧ ଜନିତ ମୃତ୍ୟୁ ଘଟିଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି । ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସେଭଳି କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିବା ସୂଚନା । ମୃତ୍ୟୁର ପ୍ରକୃତ କାରଣ ଓ ପୂର୍ଣ୍ଣାଙ୍ଗ ତଥ୍ୟ ପାଇଁ ଏବେ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏସସିବି ମେଡିକାଲର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଏହି ପୋଷ୍ଟମର୍ଟମ କରିଥିଲେ ।

ଗତ ଶନିବାର ଦିନ ସକାଳେ ବ୍ୟୁଟି ମହାନ୍ତିଙ୍କ ମୃତଦେହ ଚାଉଳିଆଗଞ୍ଜ ଥାନା ଉପର ମହଲାରେ ଥିବା କ୍ୱାର୍ଟରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ବ୍ୟୁଟି ମହାନ୍ତି କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ଏହାର ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନଥିବା ବେଳେ ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ କରୁଛି । ତେବେ ବ୍ୟୁଟି ମହାନ୍ତି କାର୍ଯ୍ୟକ୍ଷେତ୍ରରେ ଚାପଗ୍ରସ୍ତ ଥିଲେ ବୋଲି ପରିବାର ଲୋକେ ସଂଗୀନ ଅଭିଯୋଗ ଆଣିଛନ୍ତି । କିନ୍ତୁ ଏନେଇ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି ପରିବାର । 

ଅନ୍ୟପଟେ , ବ୍ୟୁଟି ମହାନ୍ତିଙ୍କ ୨ଟି ମୋବାଇଲ ଫୋନ୍‌ ଫୋରେନ୍‌ସିକ ଲ୍ୟାବ୍‌କୁ ପଠାଇବା ସହ ହ୍ବାଟ୍ସଆପ୍‌ ଚାର୍ଟିଂକୁ ଖୋଳତାଡ଼ କରୁଛି ପୋଲିସ । ସେହିପରି ତାଙ୍କ ଆତ୍ମହତ୍ୟା ପଛରେ ଜଣେ ଏଏସ୍‌ଆଇଙ୍କ ହାତ ଥିବା ବିଭିନ୍ନ ଗଣମାଧ୍ୟମରୁ ସୂଚନା ମିଳୁଛି । ବ୍ୟୁଟି ପାହାଳ ଥାନାରେ ଥିବାବେଳେ ସମ୍ପୃକ୍ତ ଏଏସ୍‌ଆଇ ତାଙ୍କ ସହ କାମ କରୁଥିଲେ । କିନ୍ତୁ କ’ଣ ହେଲା ଯେ, ଉକ୍ତ ଏଏସ୍‌ଆଇ ବିଉଟିଙ୍କ ଆତ୍ମହତ୍ୟା ପଛର ଦାୟୀ ହେଲେ ବୋଲି ଚର୍ଚ୍ଚା ହେଉଛି । ସମ୍ପୃକ୍ତ ଏଏସ୍‌ଆଇଙ୍କୁ ତଦନ୍ତକାରୀ ଅଧିକାରୀ ଅଟକ ରଖି ପଚାର ଉଚରା କରୁଥିବା ଶୁଣାଯାଉଛି । ତେବେ କିଏ ଏହି ଏଏସ୍‌ଆଇ ଏବଂ କାହିଁକି ବ୍ୟୁଟି ଙ୍କ ଉପରେ ଚାପ ପକାଉଥିଲେ, ସେନେଇ ତଦନ୍ତ ହେବା ଆବଶ୍ୟକ ବୋଲି ବିଭିନ୍ନ ସଂଗଠନ ଦାବି କରୁଛନ୍ତି । 

Tags: