ସ୍କୁଲ ରେ ଘାରିଛି ଭୁତ ଭୟ
୯ମ ୧୦ମ ଶ୍ରେଣୀ ଛାତ୍ରୀଙ୍କ ଅସ୍ୱାଭାବିକ ଆଚରଣ
ମହାକାଳପଡ଼ା : ସ୍କୁଲ ଛାତ୍ରୀଙ୍କୁ ଭୂତ ଭୟ । ୪ଦିନ ହେବ ସ୍କୁଲ ଆସୁ ନାହାନ୍ତି କେତେକ ଛାତ୍ରୀ । ଯଦି କିଛି ଜଣ ସ୍କୁଲ ଆସୁଛନ୍ତି ତେବେ ସ୍କୁଲରେ ଅସ୍ୱାଭାବିକ ଆଚରଣ କରୁଛନ୍ତି । ଏଭଳି ବିଚିତ୍ର ଘଟଣା ଦେଖିବାକୁ ମିଳିଛି ମହାକାଳପଡ଼ା, ଦେଉଳପଡା ଗଜେଶ୍ୱର ହାଇସ୍କୁଲରେ । ବିଶେଷକରି ୯ ମ ଓ ୧୦ମ ଶ୍ରେଶୀ ଛାତ୍ର ଛାତ୍ରୀଙ୍କ ଠାରେ ଏହି ଲକ୍ଷଣ ଦେଖାଯାଉଛି । ବିଦ୍ୟାଳୟ ନିକଟବର୍ତ୍ତୀ ଅମିରାବାଦ, ବାଙ୍କିଛନ୍ଦା, ମେର୍ଦ୍ଦା, ଓଳିଆ ଗ୍ରାମର ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ଏହି ୭ ଛାତ୍ରୀ ଗତ ଦୁଇ ଦିନ ମଧ୍ୟରେ ସ୍କୁଲକୁ ଆସିବା ବାଟରେ ହଠାତ୍ ତଳେ ପଡ଼ି ଯାଇ ବାଉଳି ଚାଉଳି ହୋଇ ଗପିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ଜିଲା ମେଡିକାଲ୍କୁ ଚିକିତ୍ସା ପାଇଁ ନେଇଥିଲେ । ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଘରକୁ ଗୁରୁବାର ଫେରିଛନ୍ତି । ଶୁକ୍ରବାର ମଧ୍ୟ ଜଣେ ଛାତ୍ରୀ ହଠାତ୍ ପଡ଼ିଯାଇଥିଲେ ।
ଅପରପକ୍ଷରେ ଏହି ଘଟଣା ପରେ ବିଦ୍ୟାଳୟର ସାଥୀ ଛାତ୍ରୀମାନଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଆଜି ଏକ ମେଡିକାଲ ଟିମ୍ ଏହି ବିଦ୍ୟାଳୟ ପରିଦର୍ଶନ କରି ଅନ୍ୟ ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି । ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏହା ଭୁତ ପ୍ରେତ ଭୟ ନୁହେଁ ମାନସିକ ଚାପ ଯୋଗୁଁ କିଛି ପିଲା ଅସୁସ୍ଥ ହୋଇ ପଡୁଛନ୍ତି । ତେଣୁ ଅଯଥା ଗୁଜବରୁ ଦୁରେଇ ରହିବାକୁ ପିଲା ତଥା ଅବିଭାବକ ମାନଙ୍କୁ ପରାମର୍ଶ ଦେଇଛନ୍ତି ।




