ପେନସନ ଠକେଇ, ଅଭିଯୁକ୍ତ ବାପା-ପୁଅ ଗିରଫ
ଭଦ୍ରକ : କୋରେଇ ଶିକ୍ଷା ବିଭାଗରେ ବଡ଼ ଧରଣର ଠକେଇ । ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଜଣେ ବ୍ୟାଙ୍କ ଅଧିକାରୀ ଏବଂ ତାଙ୍କ ଅବସରପ୍ରାପ୍ତ ଶିକ୍ଷକ ବାପା ଗିରଫ । ଅଭିଯୁକ୍ତ ଜଣକ ହେଲେ ଜନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଭଦ୍ରକ ଶାଖାର ମୁଖ୍ୟ ମାତୃପ୍ରସାଦ ମହାନ୍ତି ଏବଂ ତାଙ୍କ ବାପା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ମହାନ୍ତି । କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏହି ଠକେଇ ହୋଇଛି । ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରାୟ ୫ କୋଟି ୫୬ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର କରିଥିଲେ ଉଭୟେ ବାପା-ପୁଅ ।
ସୂଚନା ଅନୁସାରେ, ଯାଜପୁର ଜିଲ୍ଲା କୋରେଇ ଶିକ୍ଷା ବିଭାଗରେ ହୋଇଥିଲା ବଡ଼ଧରଣର ଆର୍ଥିକ ଅନିୟମିତତା । ଏହି ସମ୍ପୂର୍ଣ୍ଣ ଦୁର୍ନୀତି ପଛରେ ମାତୃପ୍ରସାଦ ଓ ତାଙ୍କ ବାପା ପ୍ରଦୀପ କୁମାର ମହାନ୍ତିଙ୍କ ହାତ ରହିଛି। ପ୍ରଦୀପ କୁମାର ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ। ସେ କୋରେଇ BEO ଅଫିସରେ ପୁନଃ-ନିଯୁକ୍ତି ପାଇ କାମ କରୁଥିଲେ। ପ୍ରଦୀପ କୁମାର ବେଆଇନ ଭାବେ HRMS ପୋର୍ଟାଲ୍ ବ୍ୟବହାର କରି ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡି ବ୍ୟବହାର କରିଥିଲେ । ସେହି ଅବସରପ୍ରାପ୍ତ ଶିକ୍ଷକମାନେ ଏବେ ବି ଚାକିରି କରୁଛନ୍ତି ବୋଲି ମିଛ ରେକର୍ଡ ଦେଖାଇ ସେମାନଙ୍କ ନାଁରେ ମାସିକ ପେନ୍ ସନ୍ ବିଲ୍ ପ୍ରସ୍ତୁତ କରୁଥିଲେ । ଏହି ଘଟଣାରେ ଭଦ୍ରକ ଜନା ସ୍ମଲ୍ ଫାଇନାନ୍ସର ଶାଖା ପ୍ରବନ୍ଧକ ମାତୃପ୍ରସାଦ ମହାନ୍ତି ଏବଂ ତାଙ୍କ ବାପାଙ୍କୁ ଗିରଫ କରିଛି ଭିଜିଲାନ୍ସ ।
୨୦୧୮ରୁ ୨୦୨୪ ମଧ୍ୟରେ କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡି ହ୍ୟାକ୍ କରି ୫ କୋଟି ୫୬ ଲକ୍ଷ ୧୧ ହଜାର ୪୯୫ ଟଙ୍କା ଅନ୍ଲାଇନ୍ରେ ଟ୍ରାନ୍ସଫର ହୋଇଥିଲା । ବାପା-ପୁଅ ଯୋଡ଼ି ଯୋଜନାବଦ୍ଧ ଭାବେ ଏହି ଟଙ୍କା ହପଡ଼ରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା ବୋଲି ଭିଜିଲାନ୍ସ ବିଭାଗ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା । ଯେ ଏହି ଠକେଇରେ ଅଭିଯୁକ୍ତ ମାତୃପ୍ରସାଦ ମହାନ୍ତିଙ୍କୁ ତାଙ୍କ ପିତା ପ୍ରଦୀପ କୁମାର ମହାନ୍ତି (ବିଇଓ କାର୍ଯ୍ୟାଳୟରେ ପୁନଃନିଯୁକ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ) ସହଯୋଗ କରିଥିଲେ। ସିଷ୍ଟମ ହେରଫେର କରି ପ୍ରଦୀପ କୁମାର ମହାନ୍ତି ମାନବ ସମ୍ବଳ ପରିଚାଳନା ପ୍ରଣାଳୀ (HRMS) କୁ ବେଆଇନ ଭାବେ ପ୍ରବେଶ କରିଥିଲେ। ସେ ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକ (ପେନସନଭୋଗୀ)ଙ୍କ ପରିଚୟପତ୍ରକୁ ଚୋରି କରି ସେମାନଙ୍କୁ ପୁଣି ଥରେ ଚାକିରିରେ ସକ୍ରିୟ ଭାବରେ ଦେଖାଇ ତାଙ୍କ ନାମରେ ମାସିକ ପେନସନ ବିଲ୍ ପ୍ରସ୍ତୁତ କରିଥିଲେ। ଏହି ଅର୍ଥକୁ ବିଭିନ୍ନ କାରବାର ମାଧ୍ୟମରେ ସେମାନଙ୍କ ଦ୍ୱାରା ରଖାଯାଇଥିବା ଆକାଉଣ୍ଟଗୁଡ଼ିକୁ ପଠାଇଥିଲେ। ନଭେମ୍ବର ୨୦୧୮ ରୁ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ପ୍ରାୟ ୬ବର୍ଷ ଧରି ଠକେଇ କରିଥିଲେ। ଭିଜିଲାନ୍ସ ଟିମ୍ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।




