ବଡ଼ ଦାଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା,ଜଣେ ମୃତ ୨ ଗୁରୁତର
ପୁରୀ: ପୁରୀ ବଡଦାଣ୍ଡ ବଳଗଣ୍ଡି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବୋଲେରୋ ଧକ୍କାରେ ୫ବର୍ଷୀୟ ନାତିର ମୃତ୍ୟୁ,ଜେଜେଙ୍କ ସହ ଅନ୍ୟ ଜଣେ ନାବାଳକ ଗୁରୁତର I ସମସ୍ତଙ୍କୁ ଉଦ୍ଧାର କରି ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ନାବାଳକ ଜଣକ ହେଲେ ଟାଉନ ଥାନା ଅଂଚଳର ନିରଞ୍ଜନ ଦେ ଙ୍କ ପୁଅ ଶ୍ରେୟାନ୍ସ ଦେ ।
ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ବଡଦାଣ୍ଡରେ ଜେଜେ ଓ ତାଙ୍କ ପାଞ୍ଚ ବର୍ଷୀୟ ନାତି ସ୍କୁଟିରେ ଜଳଖିଆ କିଣିବାକୁ ବଳଗଣ୍ଡି ଛକକୁ ଆସିଥିଲେ । ଜଳଖିଆ କିଣିବା ପରେ ଉଭୟ ସ୍କୁଟିରେ ଯାଉଥିବା ବେଳେ ପଛରେ ଆସି ଏକ ବୋଲେରୋ ହଠାତ୍ ଧକ୍କା ଦେଇଥିଲା । ଜେଜେ ତଳେ ପଡିଯିବା ପରେ ବୋଲେରୋଟି ଛୋଟ ପିଲାଟିକୁ ଘୋଷାଡି ନେଇଥିଲା । ଏହା ଦେଖି ଲୋକମାନେ ହୋହାଲ୍ଲା କରିବାରୁ ବୋଲେରୋ ଡ୍ରାଇଭର ଫେରାର ବେହାକୁ ଯାଉଥିବା ବେଳେ ଲୋକମାନେ ତାଙ୍କୁ କାବୁ କରିଥିଲେ । ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକ ପିଲାଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ହେଲେ ପିଲାଟିକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ପହଞ୍ଚି ତଦନ୍ତ କରୁଛି ।
ସେପଟେ ଏହି ମର୍ମନ୍ତୁଦ ଦୁର୍ଘଟଣାର ଖବର ପାଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।



