ରାଜଧାନୀରୁ ନକଲି NIA ଅଧିକାରୀ ଗିରଫ

ରାଜଧାନୀରୁ ନକଲି NIA ଅଧିକାରୀ ଗିରଫ
Samaya Live News Picture
Published On

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଜଣେ ନକଲି NIA ଅଧିକାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ବ୍ୟକ୍ତି ଜଣକ ହେଲେ ନୂଆଦିଲ୍ଲୀର ଆଶିଷ ରେଡ୍ଡୀ । ନିଜକୁ NIA ଅଧିକାରୀ ଦର୍ଶାଇ ଜଣେ ମହିଳାଙ୍କ କେଶରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଖାରବେଳ ନଗର ଥାନା ପୋଲିସ ଉପରେ ଚାପ ପକାଉଥିଲେ । ଗତକାଲି ତାଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏନେଇ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ।

ପୋଲିସ ସୂଚନାନୁସାରେ, ଖାରବେଳ ନଗର ଥାନାରେ ଏକ ଦୁଷ୍କର୍ମ ମାମଲାରେ ଆଶିଷ ରେଡ୍ଡୀ ତାଙ୍କ ବାନ୍ଧବୀଙ୍କ ପାଇଁ ଅନ୍ୟ ଜଣେ ମହିଳାଙ୍କ ନାଁରେ ମିଛ କେଶ କରିବାକୁ ଆସି ଫସିଥିଲେ। ଖାରବେଳ ନଗର ଥାନରେ ସେ ନିଜକୁ NIA ଅଧିକାରୀ ବୋଲି କହି ଏକ ନକଲି ପରିଚୟ ପତ୍ର ଦେଖାଇଥିଲେ । ସେ ଆସିଥିବା ଗାଡ଼ିରେ ମଧ୍ୟ ଭାରତ ସରକାର ଓ ଗୃହ ମନ୍ତ୍ରଣାଳୟର ଷ୍ଟିକର ଲାଗିଥିଲା, ଯାହା ଦେଖି ପ୍ରଥମେ ସନ୍ଦେହ ହୋଇନଥିଲା । ତେବେ ତାଙ୍କର ବ୍ୟବହାର ସନ୍ଦେହଜନକ ଲାଗିବାରୁ ପୋଲିସ NIA କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲା । ସେଠାରୁ ସେ NIA ର କର୍ମଚାରୀ ନୁହଁନ୍ତି ବୋଲି ସ୍ପଷ୍ଟ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ପୋଲିସ ତାଙ୍କଠାରୁ ନକଲି ପରିଚୟ ପତ୍ର, ଅନ୍ୟାନ୍ୟ ଜାଲ କାଗଜପତ୍ର ଏବଂ ଗୃହ ମନ୍ତ୍ରଣାଳୟ ଲେଖା ଥିବା ବୋଲେରୋ ଗାଡି, ଦୁଇଟି ଛୁରୀ, ଗୋଟିଏ ଭୁଜାଲି, ଗୋଟିଏ ବାଡ଼ି, ଗୋଟିଏ ରଡ୍, ଏନଆଇଏ ଲୋଗୋ ଥିବା ଟି-ସାର୍ଟ, ନକଲି ଆଇକାର୍ଡ, ସୁନା ଓ ରୁପା ଚେନ୍ ଆଦି ଜବତ କରାଯାଇଛି । ସେ ଏହିପରି ଭାବେ ଅନ୍ୟମାନଙ୍କୁ ଠକି ଆର୍ଥିକ ଫାଇଦା ନେଉଥିବା ସନ୍ଦେହ କରାଯାଉଛି ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

 

 

Tags: