୨୨ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ବନ୍ଧାହେଲା ନକଲି ଡାକ୍ତର
ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ବନ୍ଧାହେଲା ନକଲି ଡାକ୍ତର । ମାଟ୍ରିମୋନି ସାଇଟରେ ନିଜର ଫେକ ପ୍ରୋଫାଇଲ କରି କେତେବେଳେ ନିଜକୁ ବ୍ୟାଙ୍କ ଅଧିକାରୀ ତ ପୁଣି କେତେବେଳେ ଡାକ୍ତର ବୋଲି ଉଲ୍ଲେଖ କରିଥିଲା । ଠକ ଡାକ୍ତର ଜଣକ ହେଲେ ରଞ୍ଜୀବ ପ୍ରଧାନ। ତାଙ୍କ ଘର କେନ୍ଦୁଝର ଚମ୍ପୁଆ ଥାନା ସାନନଇ ଗାଁରେ । ୨୦୨୧ ରେ ସେ ମାଟ୍ରିମୋନି ସାଇଟରେ ତାଙ୍କ ସାନ ଭାଇ ତୁଷାର ପ୍ରଧାନଙ୍କ ବିବାହ ପାଇଁ ଜଣେ ଯୁବତୀଙ୍କ ଯୋଗାଯୋଗରେ ଆସିଥିଲେ । ତାଙ୍କ ସାନ ଭାଇ ରାୟଗଡା ଏସବିଆଇ ର ଡେପୁଟି ମ୍ୟାନେଜର ବୋଲି ଯୁବତୀଙ୍କ ପରିବାର ଲୋକଙ୍କୁ କହିଥିଲେ । ଏହାପରେ ବ୍ୟାଙ୍କର ବିଭିନ୍ନ ପଲିସି କରିବା ନାଁରେ ଯୁବତୀଙ୍କ ବାପାଙ୍କ ଠାରୁ ପର୍ଯ୍ୟାୟ କ୍ରମେ ୨୨ ଲକ୍ଷ ଟଙ୍କା ନେଇଥିଲେ । ତେବେ ଟଙ୍କା ନେବାପରେ ରଞ୍ଜୀବ ଆଉ ଧରା ଛୁଆଁ ଦେଇ ନଥିଲେ । ଏନେଇ ଗତବର୍ଷ ଅକ୍ଟୋବର ୨୭ରେ ପାହାଳ ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ତଦନ୍ତ ବେଳେ ଜଣା ପଡିଥିଲା ଅଭିଯୁକ୍ତ ରଞ୍ଜୀବ କୌଣସି ଡାକ୍ତର ହୋଇନଥିବା ବେଳେ ତାଙ୍କର କୌଣସି ଭାଇ ମଧ୍ୟ ନଥିଲେ । ରଞ୍ଜିବଙ୍କୁ ପାହାଳ ଥାନା ପୁଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।



