୨୦୨୭ ବର୍ଷ ପାଇଁ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି

୨୦୨୭ ବର୍ଷ ପାଇଁ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି
Samaya Live News Picture
Published On

କଟକ : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୨୭ ବାର୍ଷିକ ମାଟ୍ରିକ୍ (HSC), ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ (SOSC) ପ୍ରଥମ ପରୀକ୍ଷାର ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି । ନଭେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ବୃଦ୍ଧି ହୋଇଛି । ପୂର୍ବରୁ ଏହି ଶେଷ ତାରିଖ ନଭେମ୍ବର ୨୧, ୨୦୨୬ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ଅନିବାର୍ଯ୍ୟ କାରଣବଶତଃ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏହି ଅବଧି ବୃଦ୍ଧି ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି। ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ଅବଧିକୁ ଆଉ ୧୦ ଦିନ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି ।

ଏହା ସହିତ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା (PMST) ୨୦୨୬-୨୭ର ଆବେଦନ ଅବଧି ମଧ୍ୟ ବୃଦ୍ଧି କରାଯାଇଛି । ସେହିପରି ରେଗୁଲାର୍ ଏବଂ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ Board of Secondary Education, Odisha ପୋର୍ଟାଲ ମାଧ୍ୟମରେ କରିବେ। ପତ୍ର ବିନିମୟ (Correspondence) ଛାତ୍ରଛାତ୍ରୀଙ୍କ ଫର୍ମ ଆଞ୍ଚଳିକ କାର୍ଯ୍ୟାଳୟର ଉପସଚିବଙ୍କ ଜରିଆରେ ଅଫଲାଇନରେ ପୂରଣ ହେବ ।

ବାତ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତିକୂଳ ପାଣିପାଗ ଓ ଯୋଗାଯୋଗ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଫର୍ମ ପୂରଣ କରିବାକୁ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ତେଣୁ ଯେଉଁ ଛାତ୍ରଛାତ୍ରୀମାନେ ଏଯାଏଁ ୨୦୨୭ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷା ପାଇଁ ଫର୍ମ ପୂରଣ କରିନାହାନ୍ତି, ସେମାନଙ୍କ ପାଇଁ ଏହା ଏକ ଅତିରିକ୍ତ ସୁଯୋଗ । ନଭେମ୍ବର ୩୦ ତାରିଖ ପୂର୍ବରୁ ଆବଶ୍ୟକ ପ୍ରକ୍ରିୟା ଶେଷ କରିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି । 

ସୂଚନାନୁସାରେ, ୨୦୨୭ ବାର୍ଷିକ ମାଟ୍ରିକ୍, ମଧ୍ୟମା ଓ SOSC ପରୀକ୍ଷା ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭, ୨୦୨୭ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  ।

Tags: