ପେଟ୍ରୋଲ ପମ୍ପ ରେ ବିସ୍ଫୋରଣ, କର୍ମଚାରୀ ମୃତ
ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ବସ୍ଷ୍ଟାଣ୍ଡ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ । ପେଟ୍ରୋଲ ଟାଙ୍କି କର୍ମଚାରୀଙ୍କ ମୃତ୍ୟୁ । ପୁରୁଣା ଟାଙ୍କି କାଟିବା ବେଳେ ଘଟିଥିଲା ଅଘଟଣ । ମୃତକ ହେଉଛନ୍ତି ରେମୁଣା ବ୍ଲକ ଅଧିନସ୍ଥ ବିମ୍ବୁରିଆ ଗ୍ରାମର ବିରେନ୍ଦ୍ର ସିଂହ। ଏହି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନାନୁସାରେ , ନୀଳଗିରିର ବାଲିଗୋହିରି ଛକ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଏକ ପୁରୁଣା ତେଲ ଟାଙ୍କିକୁ ଗ୍ୟାସ୍ କଟର ସାହାଯ୍ୟରେ କାଟି ମରାମତି କରାଯାଉଥିଲା । ଏହି ସମୟରେ ହଠାତ୍ ଅଗ୍ନିକାଣ୍ଡ ଘଟି ଟାଙ୍କିଟି ବଡ଼ ଶବ୍ଦ କରି ବିସ୍ଫୋରଣ ହୋଇଥିଲା । ଫଳରେ ଟାଙ୍କିରୁ ଲୁହ ଖଣ୍ଡ ଛିଟିକି ଟାଙ୍କି କର୍ମଚାରୀ ବୀରେନ୍ଦ୍ର ସିଂ ମୁଣ୍ଡରେ ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଲୋକେ କ୍ଷତିପୂରଣ ଦାବିରେ ସଡ଼କ ଅବରୋଧ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପେଟ୍ରୋଲ ପମ୍ପ ମାଲିକ ଦୀପ୍ତି କାନ୍ତ ମହାପାତ୍ର, ମ୍ୟାନେଜର କମଳାଲୋଚନ ନାୟକ ଏବଂ ଗ୍ୟାସ୍ କଟର ବ୍ୟବହାର କରୁଥିବା ୨ ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ଟାଙ୍କି କାଟିବା ସମୟରେ ସୁରକ୍ଷା ବ୍ୟବସ୍ଥାରେ କୌଣସି ଅବହେଳା ହୋଇଥିଲା କି ନାହିଁ, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ।
ଅନ୍ୟପଟେ, ଏହି ଘଟଣା ପରେ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମୃତଦେହ ରଖି ପରିବାର ଲୋକେ ଓ ଗ୍ରାମବାସୀ ସେରଗଡ଼-ଉଦଳା ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ।




