ଗୃହରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ

ଗୃହରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ
Samaya Live News Picture
Published On

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଶେଷ ହୋଇଛି । ୫ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି । ଗତକାଲି ବିଳମ୍ବିତ ରାତି ଯାଏ ଚାଲିଲା ବିଧାନସଭା ଅଧିବେଶନ । ଦୀର୍ଘ ୪ ଘଣ୍ଟା ଧରି ଆଲୋଚନା ପରେ ଗୃହରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି । ଏହି ବ୍ୟୟ ମଞ୍ଜୁରୀ ବିଧେୟକ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ଶାସନ-ପ୍ରଶାସନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଧେୟକ ହେଉଛି ବ୍ୟୟ ମଞ୍ଜୁରୀ ବିଲ । ଏହି ବିଲ କେବଳ ଆଗାମୀ ଗୋଟିଏ ବର୍ଷ ପାଇଁ ନୁହେଁ, ଆଗାମୀ ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ ପ୍ରଦାନ କରିଥାଏ।

ଏହି ବ୍ୟୟ ମଞ୍ଜୁରୀ ବିଲ୍ ରେ  ସାଢେ ଚାରି କୋଟି ଓଡିଶା ବାସୀଙ୍କ ଭବିଷ୍ୟତ ଯୋଡି ହୋଇ ରହିଛି। କିନ୍ତୁ କ୍ଷୋଭର ବିଷୟ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଯେପରି ଆଲୋଚନା କରାଯିବା କଥା ତାହା ହୋଇ ନାହିଁ । ବିରୋଧୀଦଳ ଅନୁପସ୍ଥିତ ରହିଲେ। ଏହା ଉପରେ ବିରୋଧୀ ଦଳ ଆତ୍ମସମୀକ୍ଷା କରିବା ଉଚିତ। ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଓଡ଼ିଶାକୁ ଆଗାମୀ ଦିନରେ ସମୃଦ୍ଧ, ସଶକ୍ତ ଏବଂ ସମାବେଶୀ କରିବାର ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ଭିତ୍ତିଭୂମି ବିକାଶ, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜି ନିବେଶ, ବନ୍ଦର ଭିତ୍ତିକ ଉନ୍ନୟନ, ଶିଳ୍ପାୟନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କ୍ରୀଡ଼ା ଭଳି କ୍ଷେତ୍ରଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ସୂଚନାନୁସାରେ, ବଜେଟ ଅଧିବେଶନ ଫେବୃଆରୀ ୧୭ ତାରିଖରେ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ୫ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ପାଇଁ ପ୍ରସ୍ତାବ ରଖିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ । ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଶାସକ ଦଳ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ଗ୍ରହଣ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।

Tags: