ଅବସର ନେବାର ସପ୍ତାହକ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡିଲେ ନିର୍ବାହୀ ଯନ୍ତ୍ରୀ
ରାୟଗଡ଼ା : ସୁଧୁରୁ ନାହାନ୍ତି ଲାଞ୍ଚ ଖୋର ସରକାରୀ ବାବୁ । ପ୍ରତିଦିନ କେହି ନା କେହି ଭିଜିଲାନ୍ସ ଜାଲରେ ପଡୁଥିଲେ ମଧ୍ୟ ସେଥିପ୍ରତି ନାହିଁ ଖାତିର । ସେହିପରି ଅବସର ନେବାର ମାତ୍ର ସପ୍ତାହକ ପୂର୍ବରୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ । ଜଣେ ଠିକାଦାର କୁ କାମର ଅଭିଜ୍ଞତା ପ୍ରମାଣପତ୍ର କରାଇଦେବା ପାଇଁ ନିଜ ସରକାରୀ ବାସଭବନରେ ୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ । ତଲାସି ସମୟରେ ତାଙ୍କ କ୍ୱାର୍ଟରରୁ ଆହୁରି ୩ ଲକ୍ଷ ୩୯ ହଜାର ଟଙ୍କା ନଗଦ ଜବତ ହୋଇଛି । ଅବସର ପୂର୍ବରୁ କିଛି ମୋଟା ଅଙ୍କର ଅର୍ଥ ଉଦରସ୍ଥ କରିବା ଲୋଭରେ ନିଜ ସିସିଆର ରେ ନାଲିଗାର ଟାଣିଛନ୍ତି ବାବୁ ଜଣକ ।
ସୂଚନାନୁସାରେ, ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ କାମର ବିଲ୍ ପାସ୍ କରିବା ସହ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବା ପାଇଁ ସନ୍ୟାସୀ ସୁବୁଦ୍ଧି ନାମକ ଜଣେ ଠିକାଦାରଙ୍କୁ ୨.୫୦ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୁକ୍ତ ନିର୍ବାହୀ ଯନ୍ତ୍ରୀ ପ୍ରାୟ ୫୦ ଲକ୍ଷ ଟଙ୍କାର ବିଲ୍ କ୍ଲିୟର କରିବା ଏବଂ ଅଭିଜ୍ଞତା ପ୍ରମାଣପତ୍ର ଦେବା ପାଇଁ ଲାଞ୍ଚ ଦାବି କରିଥିଲେ । ଏନେଇ ଠିକାଦାର ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଗତକାଲି ରାତି ୯ଟା ବେଳେ ଉକ୍ତ ଟଙ୍କାକୁ ନେଇ ନିର୍ବାହୀ ଯନ୍ତ୍ରୀଙ୍କ ସରକାରୀ ବାସଭବନକୁ ଯାଇ ଦେଇଥିଲେ । ଏହି ସମୟରେ ଲାଞ୍ଚ ଟଙ୍କା ସହ ନିର୍ବାହୀ ଯନ୍ତ୍ରୀଙ୍କୁ ଧରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ଡିଏସପି ସୂର୍ଯ୍ୟକାନ୍ତି ଟାକ୍ରିଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା। ଧରିବା ପରେ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଯାଇଥିଲେ । ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ନନ୍ଦନ ବିହାରସ୍ଥିତ ବାସଭବନ, ନୟାଗଡ଼ ସ୍ଥିତ ପୈତୃକ ଘର, ରାୟଗଡ଼ାସ୍ଥିତ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ ସମେତ ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା । ପ୍ରସନ୍ନ କୁମାର ପଟ୍ଟନାୟକ ଆସନ୍ତା ୩୦ ଜୁନ୍ ୨୦୨୬ରେ ଅବସର ଗ୍ରହଣ କରିବାକୁ ଥିଲେ ।




