ଭିଜିଲାନ୍ସ ଜାଲ ରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ
ଭୁବନେଶ୍ୱର : ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ସ୍ଥିତ ଆର୍ ଆଣ୍ଡ ବି (R&B) ସବ୍-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ତପନ ସେଠୀଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି ।
ସୂଚନାନୁସାରେ , ଯାଜପୁର ଜିଲ୍ଲା ବଡ଼ଚଣା ସ୍ଥିତ ଆର୍ ଆଣ୍ଡ ବି ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ କଟକ ଭିଜିଲାନ୍ସର ସ୍ପେଶାଲ ଜଜ୍ଙ୍କ ଦ୍ୱାରା ଜାରି ସ୍ୱତନ୍ତ୍ର ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି ।
ସେହିପରି ଏହି ଚଢ଼ାଉରେ ୩ ଜଣ ଅତିରିକ୍ତ ଏସ୍.ପି., ୬ ଜଣ ଡି.ଏସ୍.ପି., ୩ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। କଟକ, ଭୁବନେଶ୍ୱର, ପୁରୀ ଏବଂ ଯାଜପୁର ସମେତ ୭ଟି ସ୍ଥାନରେ ଚଢାଉ ଚାଲିଛି। କଟକ ଓ ପୁରୀରେ ୩ ମହଲା କୋଠା, ଫାର୍ମ ହାଉସ୍ ସହ ବିପୁଳ ସମ୍ପତ୍ତି ଠାବ ହୋଇଛି।
କଟକ CDA ସେକ୍ଟର-୭ ରେ ଏକ ୩ ମହଲା କୋଠା, ପୁରୀ ସିଦ୍ଧମହାବୀର ଅଞ୍ଚଳରେ ୩ ମହଲା କୋଠା ଏବଂ କଟକ କଣ୍ଟାପଡ଼ାରେ ଏକ ବିଶାଳ ଫାର୍ମ ହାଉସ୍ ରହିଛି। ଏହା ବ୍ୟତୀତ ଭୁବନେଶ୍ବର କଣ୍ଟାବାଡ଼ରେ ଏକ ୨ ମହଲା କୋଠା, ପୁରୀ ଝିଙ୍କିରିଆରେ ଥିବା ପୈତୃକ ଘର ଏବଂ କଟକ ୪୨ ମୌଜାରେ ଥିବା ଶ୍ବଶୁର ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛି । ତାଙ୍କର ବଡ଼ଚଣାସ୍ଥିତ ଅଫିସ ଚାମ୍ବରରେ ମଧ୍ୟ କାଗଜପତ୍ର ଯାଞ୍ଚ କରାଯାଉଛି ।
ସେହିପରି ବର୍ତ୍ତମାନ ସୁଦ୍ଧା ସୁନା ଗହଣା ଏବଂ ନଗଦ ଟଙ୍କାର ଆକଳନ ଜାରି ରହିଥିବା ବେଳେ ଏହି ଚଢ଼ାଉରେ ଆହୁରି ଅନେକ ଗୁମର ଫିଟିବା ସମ୍ଭାବନା ରହିଛି। ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ଦିଆଯାଇଛି ।




