ପରୀକ୍ଷା ବାତିଲ ହେବା ଚାକିରୀ ଆଶାୟୀଙ୍କ ସ୍ୱପ୍ନକୁ ଧୂଳିସାତ କରୁଛି - ନବୀନ
ଭୁବନେଶ୍ଵର : ରାଜ୍ୟରେ ଚାକିରି ଆଶାୟୀଙ୍କ ପରୀକ୍ଷା ଅବ୍ୟବସ୍ଥା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି ବାରମ୍ବାର ପରୀକ୍ଷା ପରେ ପରୀକ୍ଷା ବାତିଲ ହେବା ଚାକିରୀ ଆଶାୟୀଙ୍କ ସ୍ୱପ୍ନକୁ ଧୂଳିସାତ କରୁଛି । ଗତକାଲି ମାଲକାନଗିରିରେ ହେବାକୁ ଥିବା ଏଏନଏମ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା । ଅପରାହ୍ନ ୨ ଟାରେ ପରୀକ୍ଷା ହେବାକୁ ଥିବାବେଳେ ସକାଳ ୧୧ ଟା ବେଳେ ଅର୍ଥାତ ପରୀକ୍ଷାର ମାତ୍ର ୩ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିଲା । ଏହାକୁ ଦୃଢ ନିନ୍ଦା କରିଛନ୍ତି ନବୀନ । ଏନେଇ ସେ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ପରୀକ୍ଷା ବାତିଲ ପରେ ବାତିଲ ହେବା ଲକ୍ଷ ଲକ୍ଷ ପିଲାଙ୍କ ସ୍ୱପ୍ନକୁ ଧୂଳିସାତ୍ କରୁଛି । ଏଏନଏମ ପରୀକ୍ଷା ବାତିଲ କରି ରାଜ୍ୟ ବିଜେପି ସରକାର ପୁଣି ହଜାର ହଜାର ଆଶାୟୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛନ୍ତି । ୧୮ ମାସର ସରକାରରେ ପାଖାପାଖି ୧୮ଟି ନିଯୁକ୍ତି ପରୀକ୍ଷା ବାତିଲ ହେଲାଣି । ସରକାର କ'ଣ ଦର୍ଶାଇବାକୁ ଚାହୁଁଛନ୍ତି? ରାଜ୍ୟର ପିଲାମାନଙ୍କ ଆଶା, ସ୍ୱପ୍ନ ଏପରି ଧୂଳିସାତ ହେଉଥିବ? ସରକାର ସଜାଗ ହୁଅନ୍ତୁ, ସମସ୍ତ ପରୀକ୍ଷା ଯେପରି ନିୟମିତ ଏବଂ ସ୍ୱଚ୍ଛତାର ସହ ହେବ ତାହା ସୁନିଶ୍ଚିତ କରନ୍ତୁ । ପିଲାଙ୍କ ସ୍ୱପ୍ନ କେତେ ଆଉ ଭାଙ୍ଗିବ, କେତେ ଆଉ ପିଲାଙ୍କ ଭବିଷ୍ୟତ ସହ ଖେଳାଯିବ? ପରୀକ୍ଷା ପରେ ପରୀକ୍ଷା ବାତିଲ ହେବା, ସ୍ଥଗିତ ହେବା ବିଜେପି ସରକାରର ଅପାରଗତାକୁ ଦର୍ଶାଉଛି ।
ସୂଚନାନୁଯାୟୀ, ଶୁକ୍ରବାର ଦେବଗଡ଼ରେ ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଅପରାହ୍ଣ ୨ଟାରେ ପରୀକ୍ଷା ହେବାର ଥିଲା । ହେଲେ ତିନିଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ହ୍ୱାଟସଆପରେ ଉପଲବ୍ଧ ହୋଇଥିଲା । ସେହିପରି ହେଲେ ମାଲକାନଗିରି ଓ ବଲାଙ୍ଗିରରୁ ଏଏନ୍ଏମ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଏହି ଘଟଣା ପ୍ରଘଟ ପରେ ବଲାଙ୍ଗିରରେ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ଏବଂ ଅତିରିକ୍ତ ଏସପି ହିମାଂଶୁ ବେହେରା ତୁରନ୍ତ ସ୍ଥାନୀୟ ମହିଳା ମହାବିଦ୍ୟାଳୟସ୍ଥିତ ପରୀକ୍ଷା କେନ୍ଦ୍ରକୁ ଯାଇ ସ୍ଥିତି ପରଖିଥିଲେ । ପ୍ରଥମେ ଅଭିଯୋଗ ସମ୍ପର୍କରେ ଯାଞ୍ଚ ଚାଲିଛି ବୋଲି କହିଥିଲେ । କିନ୍ତୁ ଶେଷରେ ବୋର୍ଡର ନିଷ୍ପତ୍ତି କ୍ରମେ ପରୀକ୍ଷାକୁ କୌଣସି କାରଣରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ କରିଦିଆଯାଇଛି ବୋଲି କହିଥିଲେ । ପରେ ସମସ୍ତ ପ୍ରଶ୍ନପତ୍ରକୁ ପୁନଃ ଟ୍ରେଜେରୀରେ ରଖିଦେଇଥିବା ଜଣାପଡ଼ିଛି ।
ସେପଟେ,ବାରମ୍ବାର ପରୀକ୍ଷା ବାତିଲକୁ ନେଇ ଜୋର ଧରିଲା ରାଜନୀତି । ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି । ବିଜେଡି ନେତା ଦେବିରଂଜନ ତ୍ରିପାଠୀ କହିଛନ୍ତି 'ଅନ୍ଧାରକୁ ଠେଲି ହୋଇ ଯାଉଛି ମେଧାବୀ ପିଲାଙ୍କ ଭବିଷ୍ୟତ '। ଛାତ୍ରଛାତ୍ରୀ ତାତିଲେ ସରକାର କିଛି କରିପାରିବେ ନାହିଁ । ସେହିପରି କଂଗ୍ରେସ ନେତା ପବିତ୍ର ସାଉଁତରା ସରକାର ଯୁବପିଢ଼ିଙ୍କ ଭବିଷ୍ୟତକୁ ଧ୍ୟାନ ଦେଉ ନାହାନ୍ତି ବୋଲି କହିଛନ୍ତି ।


