ପ୍ରତ୍ୟେକ ହୋର୍ଡ଼ିଂର ହେବ ଥାର୍ଡ଼ ପାର୍ଟି ଇନ୍ସ୍ୟୁରାନ୍ସ
ଭୁବନେଶ୍ୱର : ଆଇଗିଣିଆ ହୋର୍ଡ଼ିଂ ଅଘଟଣ । ଘଟଣାର ସମୀକ୍ଷା କରିଛନ୍ତି ଅତିରିକ୍ତ କମିଶନର ଓ ଉପାୟୁକ୍ତ । ସୁବ୍ୟବସ୍ଥିତ ହେବ ରାଜଧାନୀର ହୋର୍ଡ଼ିଂ ବ୍ୟବସ୍ଥା । ଏଣିକି ପ୍ରତି ହୋର୍ଡିଂର ହେବ ଥାର୍ଡ଼ ପାର୍ଟି ଇନ୍ସ୍ୟୁରାନ୍ସ । ସ୍ଥାୟୀ ପ୍ରମାଣପତ୍ର ଦେବା ପାଇଁ ବାଧ୍ୟତାମୂଳକ କରାଯାଇଛି ବୋଲି କହିଛନ୍ତି ବିଏମ୍ସି କମିଶନର ଚଞ୍ଚଲ ରଣା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ହୋର୍ଡିଂ ପାଇଁ ନୂଆ ବ୍ୟବସ୍ଥା କରିବ ବିଏମ୍ସି । ସମସ୍ତ ହୋର୍ଡିଂ ଷ୍ଟ୍ରକଚର କିପରି ପରିଚାଳନା, ଦେଖାଶୁଣା ଓ ସୁରକ୍ଷା ହେଉଛି । ତାହା ବିବରଣୀ ସହ ସାର୍ଟିଫିକେଟ୍ ଦେବାକୁ କୁହାଯାଇଛି । ସବୁ ହୋର୍ଡିଂର ସମୀକ୍ଷା କରି ଏହାର ସ୍ଥିତି କିପରି ଅଛି, ତାହା ଜଣାଇବାକୁ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ହୋର୍ଡିଂ ଗୁଡ଼ିକରେ ନିଜ ସଂସ୍ଥାର ନାମ ଲେଖିବାକୁ ମଧ୍ୟ କୁହାଯାଇଛି । ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତି ଏଜେନ୍ସି ସବୁ ହୋର୍ଡିଂରେ ଥାର୍ଡ ପାର୍ଟି ଇନ୍ସ୍ୟୁରାନ୍ସ କରିବାକୁ କୁହାଯାଇଛି । ଯଦି କୌଣସି ହୋର୍ଡିଂରେ ଫ୍ଲେକ୍ସ ଇତ୍ୟାଦି ଛିଡି ଯାଏ, ତେବେ ତୁରନ୍ତ ତାକୁ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକସ୍ଥଳେ ସୁରକ୍ଷା ଦୃଷ୍ଟିରୁ ହୋର୍ଡିଂକୁ ହଟାଇବା ପାଇଁ ମଧ୍ୟ ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଛି ।



