ଏଗ୍ରିଷ୍ଟାକ୍ ନ ଥିଲେ ମଧ୍ୟ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ - ମନ୍ତ୍ରୀ
ଭୁବନେଶ୍ୱର: ଚାଷୀ ମାନଙ୍କ ପାଇଁ ଆଶ୍ବସ୍ତିକର ଖବର । ଏଣିକି ଏଗ୍ରିଷ୍ଟାକ୍ ବ୍ୟବସ୍ଥା ନ ଥିଲେ ମଧ୍ୟ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଚାଷୀମାନେ ଯେପରି ଧାନ ବିକ୍ରି କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ସରକାର ଏହି ସହଜ ବ୍ୟବସ୍ଥା କରିଛନ୍ତି ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି ଏଗ୍ରିଷ୍ଟାକ୍ ନ ଥିଲେ ବି ଚାଷୀଙ୍କ ଧାନ ଉଠିବ । ଯେଉଁମାନେ କରି ନାହାନ୍ତି କୌଣସି ଅସୁବିଧାର ସମ୍ମୁଖୀନ ହେବେନି । ଏଗ୍ରିଷ୍ଟାକ୍ ନ ଥାଇ ବି ଚାଷୀ ନାମ ପଞ୍ଜୀକରଣ କରିପାରିଛନ୍ତି। ଆମେ ସମ୍ପୂର୍ଣ୍ଣ ଧାନ କିଣିବୁ, ଏଗ୍ରିଷ୍ଟାକ୍ ସହ କୌଣସି ସମ୍ପର୍କ ନାହିଁ କିନ୍ତୁ ଚାଷୀ ମାନେ ଖୁବ ଶୀଘ୍ର ଏଗ୍ରିଷ୍ଟାକ୍ କରାଇ ନିଅନ୍ତୁ, ଏହା କଲେ ଅନ୍ୟାନ୍ୟ ସୁବିଧା ମିଳିବ। ସାର, ବିହନ ଆଦି ମିଳିବ, କୃଷି ଋଣ ମଧ୍ୟ ମିଳିପାରିବ ତେଣୁ ଜଲଦି ଏଗ୍ରିଷ୍ଟାକ୍ କରାଇ ନେବାକୁ ଅନୁରୋଧ କରୁଛି । ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ପ୍ରସ୍ତୁତ ହୋଇପାରି ନାହିଁ, ସେମାନେ ନିଜର ପୁରୁଣା ଚାଷୀ ଆଇଡି କିମ୍ବା ଆଧାର କାର୍ଡ ମାଧ୍ୟମରେ ଧାନ ବିକ୍ରି କରିପାରିବେ । ଏଗ୍ରିଷ୍ଟାକ୍ ପୋର୍ଟାଲରେ ଡାଟା ମ୍ୟାଚ୍ ନହେବା କାରଣରୁ ଅନେକ ପ୍ରକୃତ ଚାଷୀ ପଞ୍ଜୀକରଣରୁ ବାଦ୍ ପଡ଼ିବାର ଆଶଙ୍କା ଥିଲା। ଏହି ନିଷ୍ପତ୍ତି ଦ୍ୱାରା ସେମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି ।
ସମସ୍ତ ଯୋଗ୍ୟ ଚାଷୀ ଯେପରି ସରକାରୀ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇପାରିବେ, ସେଥିପାଇଁ ସମବାୟ ସମିତି (PACS) ଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଗ୍ରିଷ୍ଟେକ୍ ପଞ୍ଜୀକରଣ କରିଥିଲେ ଚାଷୀଙ୍କୁ ମିଳିବ ଅନେକ ସୁବିଧା । କୃଷି ଋଣ ନେବା ସହ ବିହନ ଓ ସାର କିଣିବା ହେବ ଅଧିକ ସହଜ । ତେଣୁ ଧାନ ବିକ୍ରି ପାଇଁ ଏଗ୍ରିଷ୍ଟାକ୍ ବାଧ୍ୟତାମୂଳକ ନଥିଲେ ମଧ୍ୟ ଅନ୍ୟାନ୍ୟ କୃଷି ସୁବିଧା ପାଇବାକୁ ଚାଷୀମାନେ ପଞ୍ଜୀକରଣ କରାଇନେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।




