ବିଦ୍ୟୁତ ବିଲ ବାକିଥିଲେ ମଧ୍ୟ ହେବନାହିଁ ବିଦ୍ୟୁତ କାଟ
ଭୁବନେଶ୍ବର : ବକେୟା ବିଦ୍ୟୁତ ବିଲ୍ ଥିଲେ ମଧ୍ୟ କୌଣସି ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗାମୀ ମୌସୁମୀ ଆସିବା ପର୍ଯ୍ୟନ୍ତ ବିଦ୍ୟୁତ କାଟ ନକରିବାକୁ ନିର୍ଦେଶ ଦେଇଛନ୍ତି ଶକ୍ତି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ସେ କହିଛନ୍ତି ଯେ, ବିଲ୍ ପୈଠ ନକରିବା କାରଣରୁ କୌଣସି ବିଦ୍ୟୁତ୍ ବିତରଣ କମ୍ପାନୀ ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ କାଟ୍ କରିପାରିବେ ନାହିଁ । କେବଳ ଅତ୍ୟାବଶ୍ୟକ ମରାମତି କିମ୍ବା ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସାମୟିକ ଭାବେ ବିଦ୍ୟୁତ୍ କାଟ୍ ହୋଇପାରିବ। ଏହି ସମସ୍ତ ପୂର୍ବ ନିର୍ଦ୍ଧାରିତ ବିଦ୍ୟୁତ୍ କାଟ ବିଷୟରେ ଗ୍ରାହକମାନଙ୍କୁ ଏସ୍ଏମ୍ଏସ୍ ଆଲର୍ଟ ଏବଂ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ ମାଧ୍ୟମରେ ଆଗୁଆ ସୂଚନା ଦେବା ବାଧ୍ୟତାମୂଳକ କରାଯାଇଛି।
ବିତରଣ କମ୍ପାନୀ ଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ ଏହି ନିର୍ଦେଶ ସମ୍ପର୍କରେ ଅବଗତ କରାଇବେ । ଘୋଷଣାର କଡ଼ାକଡ଼ି ଅନୁପାଳନ ନିଶ୍ଚିତ କରିବା ପାଇଁ ଏକ ଦୃଢ଼ ମନିଟରିଂ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଉପମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଯାହାଦ୍ୱାରା ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଘରୋଇ ଗ୍ରାହକମାନେ ଆଶ୍ୱସ୍ତି ପାଇପାରିବେ।



