ବ୍ରହ୍ମପୁରରେ ସ୍ଥାପନ ହେବ ଇଏସଆଇସି ହସ୍ପିଟାଲ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଇଁ ଖୁସି ଖବର । ଇଏସଆଇସି ହିତାଧିକାରୀଙ୍କ ପାଇଁ ସ୍ଥାପନ ହେବ ହସ୍ପିଟାଲ I କର୍ମଚାରୀ ରାଜ୍ୟ ବୀମା ନିଗମ ପକ୍ଷରୁ ବ୍ରହ୍ମପୁରରେ ହସ୍ପିଟାଲ ସ୍ଥାପନ କରାଯିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି । ଫଳରେ ହଜାର ହଜାର ଇଏସଆଇସି ହିତାଧିକାରୀ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରିବେ । ଏଣିକି ଗଞ୍ଜାମ ଜିଲ୍ଲାରେ ଥିବା ଇଏସଆଇସି ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ ସେବା ପାଇଁ ଦୂରଦୂରାନ୍ତକୁ ଯିବାକୁ ପଡ଼ିବ ନାହିଁ ।
ହସ୍ପିଟାଲ ପାଇଁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ନିକଟରେ ନୂଆଦିଲ୍ଲୀଠାରେ ଇଏସଆଇସିର ୧୯୭ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଶ୍ରମମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିସାରିଛି ।
୨୦୨୪ ମାର୍ଚ୍ଚ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଇଏସଆଇସି ଅଧୀନରେ ଥିବା ବୀମାଭୁକ୍ତ ହିତାଧିକାରୀଙ୍କ ସଂଖ୍ୟା ୨୯ହଜାର ୭୬୭ । ଜିଲ୍ଲାର ବ୍ରହ୍ମପୁର ସମେତ ଆସ୍କା ଓ ଛତ୍ରପୁରରେ ଗୋଟିଏ ଲେଖାଏଁ ଡିସପେନସାରି ରହିଛି । ଫଳରେ ଗୁରୁତରଙ୍କ ଚିକିତ୍ସା ଲାଗି ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ୨ଟି ଲେଖାଏଁ ଓ ଆମ ରାଜ୍ୟର ୯୫ଟି ଅନୁବନ୍ଧିତ ଘରୋଇ ହସ୍ପିଟାଲକୁ ରେଫର କରାଯାଉଛି । ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆସିପାରିବ ବୋଲି ଆଶା କରାଯାଉଛି।




