ପାଠ୍ୟ ପୁସ୍ତକରେ ତ୍ରୁଟି, ଡିସି ତଦନ୍ତ ଆରମ୍ଭ
୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ
ଭୁବନେଶ୍ୱର : ପାଠ୍ୟ ପୁସ୍ତକ ତ୍ରୁଟି ଘଟଣାରେ ଡିସି ତଦନ୍ତ ଆରମ୍ଭ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ତ୍ରୁଟିକୁ ନେଇ ଉନ୍ନୟନ କମିଶନର ଦେଓ ରଞ୍ଜନ ସିଂ ତଥ୍ୟ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛନ୍ତି । କେମିତି ଓ କାହିଁକି ତ୍ରୁଟି ହେଲା ତାକୁ ନେଇ ଚାଲିଛି ଛାନଭିନ ।
ଏହି ତ୍ରୁଟିର ତଦନ୍ତ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ଏକ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରି ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ । ଏଥିସହ ତୁରନ୍ତ ଏହାର ସୁଧାର ଆଣିବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଘଟଣାରେ କେଉଁ ମାନେ ଦୋଷୀ , ସେମାନଙ୍କ ଉପରେ ସବିଶେଷ ରିପୋର୍ଟ ଦେବା ପାଇଁ କୁହାଯାଇଛି । ସ୍କୁଲ ଗୁଡିକରେ ବଣ୍ଟନ କରାଯାଇଥିବା ନୂତନ ପୁସ୍ତକରେ ତ୍ରୁଟି ଥିବା ଅଭିଯୋଗକୁ ନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତିି ।
ସୂଚନାନୁସାରେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟ ପୁସ୍ତକରେ ୧୬୭୮ଟି ତ୍ରୁଟି ରହିଛି । ପୁସ୍ତକଙ୍କ ତଥ୍ୟଗତ, ଭାଷାଗତ ତ୍ରୁଟି ଥିବା ନେଇ ଅଭିଭାବକ, ଶିକ୍ଷାବିତ୍ ଓ ବିରୋଧି ଦଳ ପକ୍ଷରୁ ଆପତ୍ତି କରାଯାଇଥିଲା । ବର୍ତ୍ତମାନ ଏହି ପ୍ରସଙ୍ଗ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଗଣଶିକ୍ଷା ସଚିବ, ଓସେପା ନିର୍ଦ୍ଦେଶକ ଉପସ୍ଥିତିରେ ବସିଥିବା ବୈଠକରେ ଏସଆଇଟି ନିର୍ଦ୍ଦେଶକ ମଧ୍ୟ ସାମିଲ ରହିଥିଲେ । ତେବେ ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ‘ଭୁଲ କରିଥିବା ଦୋଷିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କେଉଁ ସ୍ତରରେ ତ୍ରୁଟି ରହିଛି ଏ ନେଇ କଡା ତଦନ୍ତ କରାଯିବ । ଛାତ୍ରଛାତ୍ରୀଙ୍କ ଶିକ୍ଷା ସହ ଜଡ଼ିତ ବିଷୟରେ କୌଣସି ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।




