ରାଜ୍ୟରେ ନିର୍ବାଚନ ବିଳମ୍ବ ହେବ ନାହିଁ

ପୌର ନିର୍ବାଚନ EVM ରେ ଅନୁଷ୍ଠିତ ହେବ

ରାଜ୍ୟରେ ନିର୍ବାଚନ ବିଳମ୍ବ ହେବ ନାହିଁ
Samaya Live News Picture
Published On

ଭୁବନେଶ୍ୱର : ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ରାଜ୍ୟରେ ପ୍ରସ୍ତୁତି ଜୋରଦାର ହୋଇଛି। ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଏବଂ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ନିର୍ବାଚନ କମିଶନ (SEC) ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କ ସହ ଏକ ଉଚ୍ଚସ୍ତରୀୟ ଭିଡିଓ କନଫରେନ୍ସ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଘରକୁ ଘର ସର୍ଭେ ମାଧ୍ୟମରେ ନୂଆ ଓ ନିର୍ଭୁଲ ବୁଥ୍‌ୱାରି ଭୋଟର ତାଲିକା ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା ହୋଇଛି । ଆସନ୍ତା ଫେବୃଆରୀରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ।

ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି ,ଚଳିତ ମାସ ୩୧ ତାରିଖ ସୁଦ୍ଧା ଏନେଇ ଟିମ୍‌ ଗଠନ କାର୍ଯ୍ୟ ସରିବ । ଟିମ୍‌ରେ BLO, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ । ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଡୋର ଟୁ ଡୋର ସର୍ଭେ ହୋଇ ଭୋଟର ତାଲିକା ପ୍ରସ୍ତୁତି ହେବ । ପୁରୁଣା ବାଲଟ ବକ୍ସ ମରାମତି ପାଇଁ ଭେଣ୍ଡରଙ୍କୁ ଦିଆଯିବ । ୬ ହଜାର ବୁଥ ପାଇଁ ୧୨ ହଜାରରୁ ଅଧିକ EVM ଦରକାର । ୮ ହଜାର EVM ଅଛି । ବଳକା ଏବଂ ପାଇଁ ଅର୍ଡର ଦିଆଯାଇଛି । ଆମେ ମଧ୍ୟ କିଛି ନୂଆ ବାଲଟ ବକ୍ସ କ୍ରୟ କରିଛୁ । ଆସନ୍ତା ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ସବୁ ୱାର୍ଡର ଭୋଟର ତାଲିକା ପ୍ରକାଶ ପାଇବ । ଜନଗଣନା ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନ ସାମାନ୍ୟ ବିଳମ୍ବ ହୋଇପାରେ । SIR  ପରେ ଭୋଟର ତାଲିକା ପ୍ରସ୍ତୁତ ହେବ । ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଡି' ଡୁପ୍ଲିକେସନ  ସଫ୍ଟୱେର ର ଉପଯୋଗ କରାଯିବ ।

 

 

Tags: