ବାଙ୍କୀ, ଲକ୍ଷ୍ମୀ ବରାହ ଏବଂ ନବରଙ୍ଗପୁର ମଡେଲ କଲେଜ ରେ ନିର୍ବାଚନ ବାତିଲ ,ସାଇନ -ଏ -ଡାଏ ଘୋଷଣା
ଆଳି/ବାଙ୍କୀ/ନବରଙ୍ଗପୁର : କ୍ୟାମ୍ପସ ନିର୍ବାଚନ ପାଇଁ ହାତରେ ମାତ୍ର ଆଉ ଗୋଟିଏ ଦିନ । ପ୍ରଚାର ପାଇଁ ଆଜି ଶେଷ ଦିନ । ଆସନ୍ତା କାଲି ରହିଛି 'ହ୍ୱାଇ ଆଇ ଷ୍ଟାଣ୍ଡ ଫୋର ମିଟିଂ'। ଦୀର୍ଘ ୮ ବର୍ଷ ପରେ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀ ଖୁବ ଉତ୍ସାହିତ ଅଛନ୍ତି । ନିଜ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି । ଅନ୍ୟପଟେ କ୍ୟାମ୍ପସ ନିର୍ବାଚନକୁ ନେଇ ଅନେକ କଲେଜ ରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଆଜି ସୁଦ୍ଧା ପାଖାପାଖି ୧୦ କଲେଜରେ ନିର୍ବାଚନ ବାତିଲ କରାଯାଇ ସାଇନ -ଏ-ଡାଏ ଘୋଷଣା ହୋଇଛି ।
ଆଜି କେନ୍ଦ୍ରାପଡା ଜିଲ୍ଲା ଆଳି ସ୍ଥିତ ଲକ୍ଷ୍ମୀବରାହ କଲେଜରେ ନିର୍ବାଚନ ବାତିଲ କରାଯାଇ ସାଇନ-ଏ -ଡାଏ ଘୋଷଣା ହୋଇଛି । କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ ପରେ ଛାତ୍ର ଅଶାନ୍ତି ଦେଖାଦେଇଛି । କଲେଜ ପରିସରରେ ଉତ୍ତେଜନା ଲାଗି ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ସାଇନ -ଏ -ଡାଏ ଘୋଷଣା କରିଛନ୍ତି କଲେଜ କର୍ତୃପକ୍ଷ । ଏହାକୁ ନେଇ ଛତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି ଇ ତୁରନ୍ତ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ ଦାବିରେ କଲେଜ କ୍ୟାମ୍ପସ୍ରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ।
ସେହିପରି ,ବାଙ୍କୀ କଲେଜର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି । ଏଥିସହ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସାଇନ୍ ଡାଏ ଘୋଷଣା କରାଯାଇଛି । କଲେଜରେ ଛତ୍ର ଅଶାନ୍ତି ପରେ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଲେଜ କର୍ତୃପକ୍ଷ ଏହି ନିଷ୍ପତ୍ତିନେଇଛନ୍ତି । ନିର୍ବାଚନ ସମୟରେ ଯେପରି କୌଣସି ଅପ୍ରୀତିକର ଘଟଣା ନଘଟେ ଏବଂ ଛାତ୍ରଛାତ୍ରୀଙ୍କ ସହ କଲେଜର ଅଧ୍ୟାପକ, କର୍ମଚାରୀଙ୍କ ସୁରକ୍ଷା ବଜାୟ ରହେ, ସେଥିପାଇଁ ନିର୍ବାଚନ ବାତିଲ କରାଯାଇଛି ।
ସେପଟେ, ନବରଙ୍ଗପୁର ମଡେଲ ଡିଗ୍ରୀ କଲେଜ କୁ ମଧ୍ୟ ସାଇନ୍ ଡାଏ ଘୋଷଣା କରାଯାଇ ନିର୍ଵାଚକୁ ବାତିଲ କରାଯାଇଛି । କିନ୍ତୁ ଉମରକୋଟ କଲେଜ ରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ସୂଚନା ମିଳିଛି ।




