ଇ-କମର୍ସ କମ୍ପାନୀ କୋରିଅରରେ ଗଞ୍ଜେଇ ଚୋରା ଚାଲାଣ

 ଇ-କମର୍ସ କମ୍ପାନୀ କୋରିଅରରେ ଗଞ୍ଜେଇ ଚୋରା ଚାଲାଣ
Samaya Live News Picture
Published On

ବଲାଙ୍ଗିର : ଗଞ୍ଜେଇ ଚୋରା ଚାଲାଣରେ ନୂଆ ଫଣ୍ଡା । ଅନଲାଇନ ସଂସ୍ଥା କୋରିଅରରେ ହେଉଛି ଗଞ୍ଜେଇ ଚାଲାଣ । ଅନଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ୍ ସମ୍ବଲପୁରୀ ଶାଢ଼ୀ ପ୍ୟାକେଟରେ ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୋଲିସ। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯିବା ସହ ୧୧୩କେଜି ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପାଖାପାଖି ୧କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଏହି ଗଞ୍ଜେଇ ଚୋରା ଚାଲାଣ ର ଚେର କଳାହାଣ୍ଡି ଜିଲ୍ଲା ର ଏମ. ରାମପୁର ଦେଇ ବଲାଙ୍ଗୀର ଏବଂ ଦିଲ୍ଲୀ ଏମସିଆର ଯାଏଁ ବ୍ୟାପିଛି ।

ସୂଚନାନୁସାରେ, ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କୁ ବିଶ୍ୱ ବଜାରରେ ନିଜ ସାମଗ୍ରୀ ବିକ୍ରି ପାଇଁ ସୁଯୋଗ ଦେଉଛି । କୌଣସି ବ୍ୟବସାୟୀ ସେଠାରେ ନିଜ ଆକାଉଣ୍ଟ ଖୋଲି ସାମଗ୍ରୀ ବିକ୍ରି କରିପାରିବ । ଏହାକୁ ନିଶା ଚାଲାଣର ସୁରକ୍ଷିତ ବାଟ କରିଥିଲେ ମାଫିଆ । ଏଭଳି ଅନ୍‌ଲାଇନ୍‌ ନିଶା କାରବାର ସମ୍ପର୍କରେ ପୋଲିସକୁ ଖବର ମିଳିଥିଲା । ହେଲେ ସବୁ ଅର୍ଡର ଅନ୍‌ଲାଇନ ଏବଂ ଇ-କମର୍ସରେ ଚାଲୁଥିବାରୁ ଚିହ୍ନଟ ସହଜ ନ ଥିଲା । ଗୁଇନ୍ଦା ସୂଚନା ଆଧାରରେ ପୋଲିସ୍‌ ସମ୍ପୃକ୍ତ ସମ୍ବଲପୁରୀ ଶାଢ଼ି ନାମକ ଇ-କମର୍ସ ପ୍ଲାଟଫର୍ମ କମ୍ପାନିକୁ ସ୍କାନରକୁ ନେଇଥିଲା । ତାହାର ସମସ୍ତ ପରିଚାଳନା ଟିମ, ଅର୍ଡର, ଡେଲିଭରି ନେଟୱର୍କ, ସାମଗ୍ରୀ ତଥ୍ୟ ଏବଂ ସମସ୍ତ ଦେଣନେଣ ଯାଞ୍ଚ ପରେ ସତ୍ୟ ପଦାକୁ ଆସିଥିଲା । ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଉଠାଇ ଆଣି ପଚରାଉଚରା କରିବା ପରେ ନିଶା କାରବାରର ଗୁମର ଖୋଲିଥିଲା । ଅଭିଯୁକ୍ତମାନେ ଆମାଜନ୍  କାର୍ଟୁନ ରେ ଶାଢ଼ୀ ବଦଳରେ କଳାହାଣ୍ଡି ଏମ.ରାମପୁରରୁ ବିପୁଳ ପରିମାଣର ଗଞ୍ଜେଇ ପ୍ୟାକ୍ କରାଯାଇ ବଲାଙ୍ଗୀର ଆଣୁଥିଲେ ଏବଂ ସେଠାରୁ ସାଧାରଣ ଇ-କମର୍ସ ପାର୍ସଲ ପରି କୋରିଅର ମାଧ୍ୟମରେ ବୁକ୍ କରି ଦିଲ୍ଲୀ-ଗାଜିଆବାଦ ପଠାଉଥିଲେ  । ହ୍ୟାଣ୍ଡଲରମାନେ ପୂର୍ବରୁ କଳାହାଣ୍ଡିର ବ୍ୟବସାୟୀମାନଙ୍କୁ ତାଲିମ ଦେଇଥିଲେ ଏବଂ ସେମାନଙ୍କୁ ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିଥିଲେ। ସେମାନେ ସ୍ୱତନ୍ତ୍ର ବାରକୋଡ୍‌ ପ୍ରସ୍ତୁତ କରି ଗଞ୍ଜେଇ ଚାଲାଣ କରୁଥିବା ସ୍ପଷ୍ଟ ହୋଇଥିଲା । 

Tags: