ଟ୍ୱିନ ସିଟିରେ ମେଟ୍ରୋ ବଦଳରେ ଇ -ବସ ସେବା
ଭୁବନେଶ୍ୱର : ଟ୍ୱିନ ସିଟିରେ ମେଟ୍ରୋ ପ୍ରକଳ୍ପକୁ ନେଇ ଆସିଲା ବଡ଼ ସୂଚନା । ମେଟ୍ରୋ ବଦଳରେ ଟ୍ୱିନ ସିଟିବାସୀଙ୍କୁ ଉପଲବ୍ଧ ହେବ ଇ -ବସ ସେବା । ଟ୍ବିନସିଟିରେ ମେଟ୍ରୋ ନେଇ ଅସନ୍ତୋଷ ଦେଖାଯାଇଥିବା ବେଳେ ୨୦୦ଖଣ୍ଡ ଇ -ବସ ଚାଲିବ । ସମାନ ଭାବେ କଟକ ପାଇଁ ୧୦୦ଟି ଓ ଭୁବନେଶ୍ବର ପାଇଁ ୧୦୦ଟି ବସ୍ ମଞ୍ଜୁର କରାଯାଇଛି ।
ଏସମ୍ପର୍କରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ଗୃହନିର୍ମାଣ ଓ ନଗର ଉନ୍ନୟନ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ । ରାଜ୍ୟସଭାରେ ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇଥିଲେ ଦେବାଶିଷ ।
କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ମେଟ୍ରୋ ପ୍ରକଳ୍ପ ପାଇଁ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ । ଦୁଇଟି ସହର ମଧ୍ୟରେ ଯୋଗାଯୋଗ ପାଇଁ Bus Rapid Transit System ଏକ ବିକଳ୍ପ ହେବ । ମେଟ୍ରୋ ପ୍ରକଳ୍ପଗୁଡ଼ିକ ଅତ୍ୟନ୍ତ ବ୍ୟୟବହୁଳ ଅଟେ । PM-eBus ସେବା ଯୋଜନା ଅଧୀନରେ ଟ୍ବିନ ସିଟି ପାଇଁ ମୋଟ ୨୦୦ଟି ଇଲେକ୍ଟ୍ରିକ୍ ବସ୍ ଅନୁମୋଦନ କରାଯାଇଛି । ଏହି ବସ୍ ଗୁଡ଼ିକ ଟ୍ୱିନ ସିଟି ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିପାରିବ । ତେବେ ମହାନଗରବାସୀଙ୍କ ମେଟ୍ରୋ ଚଢିବା ଆଶା ବର୍ତ୍ତମାନ ପାଇଁ ମଉଳି ଯାଇଥିବା ଜଣାପଡିଛି ।




