ମେଲାଣି ନେଉଛନ୍ତି ମା’, ୨ଟାରୁ ଟ୍ରାଫିକ କଟକଣା

ମେଲାଣି ନେଉଛନ୍ତି ମା’, ୨ଟାରୁ ଟ୍ରାଫିକ କଟକଣା
Samaya Live News Picture
Published On

ଭୁବନେଶ୍ୱର : ମେଲାଣି ନେଉଛନ୍ତି ମା’ ଦଶଭୂଜା । ଗୁରୁବାର ମା'ଙ୍କର ଆନୁଷ୍ଠାନିକ ଭସାଣି । ମା’ଙ୍କୁ ଦିଆଯାଉଛି ଭାବବିହ୍ୱଳ ବିଦାୟ । ମଣ୍ଡପରେ ୪ ଦିନ ଦର୍ଶନ ଦେବା ପରେ ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଦୁର୍ଗତିନାଶିନୀ । ମା'ଙ୍କ ଭସାଣି ପାଇଁ ଉତ୍ସବମୁଖର ଟ୍ୱିନ୍ ସିଟି । ବୁଧବାର ବିଳମ୍ବିତ ରାତିରେ କିଛି ହାତଗଣତି ମେଢ଼ ଦେବୀଗଡ଼ାରେ ଆସି ବିସର୍ଜିତ ହୋଇଥିଲେ । ଭସାଣି ଶୋଭାଯାତ୍ରାରେ ସହରର ରାସ୍ତାଘାଟ ଦୁଲୁକିବ । ଘଣ୍ଟ, ଘଣ୍ଟା, ଢୋଲ, ମାଦଳ ବାଜା ଆଦି ପାରମ୍ପରିକ ବାଦ୍ୟଠାରୁ ବ୍ରାସ୍ ବ୍ରାଣ୍ଡ୍ ଓ ଇଲୋକ୍ଟ୍ରୋନିକ୍ସ ବାଦ୍ୟଯନ୍ତ୍ରରେ ଶୋଭାଯାତ୍ରାକାରୀମାନେ ମେଢ଼କୁ ସାହି ପରିକ୍ରମା କରାଇ ସାରିବା ପରେ ମୁଖ୍ୟ ରାସ୍ତାରେ ଶୋଭାଯାତ୍ରାରେ ସାମିଲ୍ ହେବେ । କଟକରେ ଭସାଣି ଯାତ୍ରା ଆରମ୍ଭ ହୋଇ ସାରିଛି । ସହରରେ ପ୍ରାୟ ୧୭୦ରୁ ଉର୍ଦ୍ଧ ମେଢ଼ ଆଜି ଭସାଣ କରାଯିବ । ମା’ଙ୍କ ମୃଣୟ ମୂର୍ତ୍ତି ବିସର୍ଜନ ଲାଗି ଦେବୀଗଡ଼ାରେ ନଦୀରେ ୩ଟି ଅସ୍ଥାୟୀ ଜଳାଶୟର ବନ୍ଦୋବସ୍ତ କରାଯାଇଛି ।

ସେହିପରି, ରାଜଧାନୀ ଭୁବନେଶ୍ୱରରେ ଭସାଣି ଯାତ୍ରା ପାଇଁ ଜୋରସୋର ଚାଲିଛି ପ୍ରସ୍ତୁତି । ଭସାଣି ପାଇଁ ଅପରାହ୍ଣ ୨ଟାରୁ ଟ୍ରାଫିକ୍ କଟକଣା ଲାଗୁ ହେବ । ଭସାଣି ଶେଷ ହେବା ପର୍ଯ୍ୟନ୍ତ ବିଭିନ୍ନ ପ୍ରମୁଖ ରାସ୍ତାରେ ଗାଡ଼ି ଚଳାଚଳ ନିୟନ୍ତ୍ରଣ କରାଯିବ । ରାଜଧାନୀର ଚାରିଟି ପ୍ରମୁଖ ଭସାଣି କମିଟିର ଶୋଭାଯାତ୍ରା ରୁଟ୍ କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ଆବଶ୍ୟକତା ଅନୁସାରେ ଯାନବାହନକୁ ବିକଳ୍ପ ରାସ୍ତାରେ ଛଡ଼ାଯିବ । ଉଭୟ ସହରରେ ଭସାଣି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନାକୁ ବ୍ୟାପକ କରାଯାଇଛି ।

 

Tags: