ପେଟ୍ରୋଲ ଢାଳି ସ୍ତ୍ରୀ କୁ ଜାଳିଦେଲା ନିଶାସକ୍ତ ସ୍ୱାମୀ
ପୁରୀ: ନିଶାଖୋର ସ୍ବାମୀର ଉନ୍ମତ୍ତ କାଣ୍ଡ । ପେଟ୍ରୋଲ ଢ଼ାଳି ସ୍ତ୍ରୀକୁ ନିଆଁ ଲଗାଇଦେଲା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିବା ବେଳେ, ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଛି ପୋଲିସ। ଘଟଣା ଘଟିଛି ପୁରୀ କୁମ୍ଭାରପଡ଼ା ଥାନା ଅଞ୍ଚଳରେ। ପୀଡିତାଙ୍କ ନାମ ସରୋଜିନୀ ମଲ୍ଲିକ ଏବଂ ତାଙ୍କ ସ୍ୱାମୀ, ଅଭିଯୁକ୍ତ ବିକ୍ରମ କୁମାର ମଲ୍ଲିକ (୩୭) ବୋଲି ଜଣାପଡିଛି। ପାରିବାରିକ ବିବାଦ କାରଣରୁ ବିକ୍ରମ ତାଙ୍କ ପତ୍ନୀଙ୍କୁ ଜାଳି ଦେଇଥିବା ଅଭିଯୋଗ ହୋଇଛି ।
ବିକ୍ରମଙ୍କୁ ଅଟକ ରଖି କୁମ୍ଭାରପଡ଼ା ଥାନା ପୋଲିସ କେସ୍ ନଂ-୪୫୩/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ସ୍ତ୍ରୀକୁ ପେଟ୍ରୋଲ ଢ଼ାଳି ସ୍ବାମୀ ନିଆଁ ଲଗାଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ, ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ପୁରୀ କୁମ୍ଭାରପଡ଼ା ଥାନା ଅଞ୍ଚଳରେ ମା କୁ ପୁଅ ହତ୍ୟା କରି ରୋଷେଇ ଘର ସ୍ଲାବ ତଳେ ପ୍ଲାଷ୍ଟର କରିଦେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏବେ ସ୍ତ୍ରୀ କୁ ପେଟ୍ରୋଲ ଢ଼ାଳି ସ୍ବାମୀ ନିଆଁ ଲଗାଇଦେବା ଘଟଣା ପୁରୀ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।




