ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍

ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍
Samaya Live News Picture
Published On

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ପୁଣି ଥରେ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ । କଡା କଟକଣା ସତ୍ତ୍ୱେ ବାରମ୍ବାର ଏହି ପରି ଘଟଣା ଘଟୁଥିବା ଦେଖାଯାଉଛି । ଡ୍ରୋନ୍ ମାଧ୍ୟମରେ ଶ୍ରୀମନ୍ଦିରର ଭିଡିଓ ଉତ୍ତୋଳନ କରାଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଯାହାକୁ ନେଇ ଭକ୍ତଙ୍କ ମନରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ କିଏ ଏହି ଡ୍ରୋନ୍ ଉଡ଼ାଇଛି, କେଉଁ ସ୍ଥାନରୁ ଏହାକୁ ନିୟନ୍ତ୍ରଣ କରାଯାଉଥିଲା, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ ।

ଖବର ଅନୁଯାୟୀ,ଆଜି ଭୋର୍ ୫ଟା ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଉପରେ ଦୀର୍ଘ ସମୟ ଧରି ଡ୍ରୋନ୍ ଉଡୁଥିବା ବେଳେ କେଉଁ ସ୍ଥାନରୁ ଏବଂ କିଏ ଏହାକୁ ଅପରେଟ କରୁଥିଲା ସେନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । କାରଣ, ଶ୍ରୀମନ୍ଦିର ଏକ ସମ୍ବେଦନଶୀଳ ଧାର୍ମିକ ସ୍ଥଳ ହୋଇଥିବାରୁ ଏଠାରେ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ରହିଛି । ଏହାସତ୍ତ୍ୱେ ବାରମ୍ବାର ଡ୍ରୋନ୍ ଉଡ଼ିବା ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ଶ୍ରୀମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି ହୋଇଛି। ଯାହାଦ୍ୱାରା ଭବିଷ୍ୟତରେ ଆଉ କିଏ ଡ୍ରୋନ୍‌ ଉଡାଇ ପାରିବେ ନାହିଁ ବୋଲି ଜଣାଯାଇଛି ।

 

Tags: