କାର ସହ ଜଳିଗଲେ ଡ୍ରାଇଭର
ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା (ଡିମିରିପାଳ) ଘାଟି ଅଞ୍ଚଳରେ ଏକ ଚଳନ୍ତା କାରରେ ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗତ ରବିବାର ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଗଞ୍ଜାମ ଜିଲ୍ଲା ସୋରଡା ଦାନେଲିଂ ଗାଁର ଗଙ୍ଗା ନାୟକ ବୋଲି ଜଣାପଡ଼ିଛି । ସେ ନିଜ ଶ୍ୱଶୁର ଘର ମହୁଲପାଲି ଅଞ୍ଚଳକୁ ବୁଲିବାକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି ।
ସୂଚନାନୁସାରେ, ରବିବାର ବିଳମ୍ବିତ ରାତିରେ ରାଇକିଆ ବ୍ଲକର କରଡା ଡିମିରିପାଳ ଘାଟି ରାସ୍ତା କଡ଼ରେ ଏକ ଡିଜାୟାର (Dzire) କାରରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ କାରଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି ଏବଂ ଡ୍ରାଇଭର ବାହାରକୁ ବାହାରି ନ ପାରି କାରଭିତରେ ଜଳିଯାଇଥିଲେ । ଖବର ପାଇ ରାଇକିଆ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ମୃତଦେହକୁ ଜବତ କରିଛନ୍ତି । ତେବେ ଉଦ୍ଧାର ହୋଇଥିବା ମୃତଦେହ ବେକରେ ଏକ ତାର ଗୁଡା ହୋଇଥିବା ଦେଖିବାକୁ ମିଳିଛି । ତେଣୁ ଏହା କେବଳ ଏକ ଦୁର୍ଘଟଣା ନା ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ କାରରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଏନେଇ ରାଇକିଆ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।




