ଭୁବନେଶ୍ୱର ଡିସିପି ହେଲେ ଡ. ସର୍ବଣା ବିବେକ ଏମ୍
ଭୁବନେଶ୍ୱର : ଆଇପିଏସ୍ ଅଧିକାରୀ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଜାରି ହୋଇଛି । ୪ ଜଣ ଆଇପିଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱରର ନୂଆ ଡିସିପି ହୋଇଛନ୍ତି ଆଇପିଏସ୍ ସର୍ବଣା ବିବେକ ଏମ୍ । ସର୍ବଣା ବିବେକ ଏମ୍ ପୂର୍ବରୁ ବ୍ରହ୍ମପୁର ଏସପି ଥିଲେ । ଭୁବନେଶ୍ବର ଡିସିପି ଜଗମୋହନ ମୀନା ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି।
୨୦୧୫ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ହେଉଛନ୍ତି ସର୍ବଣା ବିବେକ ଏମ୍ । ପୂର୍ବରୁ ସେ ରାୟଗଡ଼ା ଏବଂ ବ୍ରହ୍ମପୁରର ଏସପି ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଏହା ସହିତ ସେ ଭୁବନେଶ୍ୱରରେ ଭିଜିଲାନ୍ସ ଏସପି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ଆଗକୁ ପାର୍ବଣ ଆସୁଥିବା ବେଳେ ଭୁବନେଶ୍ୱରର ଗୁରୁ ଦାୟିତ୍ୱ ବର୍ତ୍ତମାନ ତାଙ୍କ ଉପରେ ରହିବ । ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ପର୍ଦ୍ଦାଫାସ କରିବାରେ ତାଙ୍କ ଭୂମିକା ବେଶ ପ୍ରଶଂସନୀୟ ଥିଲା । ସମସ୍ତ ଅଭିଯୁକ୍ତମାନଙ୍କୁ ଧରିବା ଏବଂ ହତ୍ୟା ପଛର ମୁଖ୍ୟ କାରଣକୁ ଖୋଜି ସେ ବାହାର କରିଥିଲେ ।
ଏହାସହ ବ୍ରହ୍ମପୁର, ଢେଙ୍କାନାଳ ଓ ବରଗଡ଼ ପୋଲିସ ପ୍ରଶାସନରେ ପରିବର୍ତ୍ତନ ହୋଇଛି । ଢେଙ୍କାନାଳ ଏସପି ଭାବେ କାର୍ଯ୍ୟରତ ଅଭିନବ ସୋନକରଙ୍କୁ ବ୍ରହ୍ମପୁର ଏସପି ଭାବେ ବଦଳି କରାଯାଇଛି । ସେହିପରି ପାରାଦୀପର ଅତିରିକ୍ତ ଏସପି ମନେ ଅଜିଙ୍କ୍ୟ ବାବୁରାଓଙ୍କୁ ଢେଙ୍କାନାଳ ଏସପି ଭାବେ ନୂଆ ଦାୟିତ୍ୱ ମିଳିଛି।
ଅନ୍ୟପଟେ, ରାଜ୍ୟ ପୋଲିସ ମୁଖ୍ୟାଳୟର ସହକାରୀ ଏସପି ଏ.ବି. ସିଲ୍ପାଙ୍କୁ ବରଗଡ଼ ଏସଡିପିଓ ଭାବେ ପୋଷ୍ଟିଂ ଦିଆଯାଇଛି। ଗୃହ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟପାଳଙ୍କ ଆଦେଶକ୍ରମେ ଏହି ବଦଳି ଓ ନିଯୁକ୍ତି କରାଯାଇଛି । ନୂଆ ଦାୟିତ୍ୱ ମିଳିବା ପରେ ସମ୍ପୃକ୍ତ ଅଧିକାରୀମାନେ ନିଜ ନିଜ ପଦରେ ଯୋଗଦେବେ ।




