ଡାକ୍ତର ଲକ୍ଷ୍ମୀକାନ୍ତ ନନ୍ଦ ମହାମହିମ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଚିକିତ୍ସକ ନିଯୁକ୍ତ
ଭୁବନେଶ୍ୱର : ଡାକ୍ତର ଲକ୍ଷ୍ମୀକାନ୍ତ ନନ୍ଦ ମହାମହିମ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଚିକିତ୍ସକ ନିଯୁକ୍ତ ହେଲେ । ସେ ଓଡିଶାର ଡାକ୍ତର ଅଭିନ୍ନ ଚନ୍ଦ୍ର ମେଡିକାଲ କଲେଜ ଭୁବନେଶ୍ୱରର ପ୍ରାକ୍ତନ ଅଧ୍ୟକ୍ଷ ଏବଂ ପ୍ରଫେସର ରହିଥିଲେ । ଡାକ୍ତର ନନ୍ଦ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅବୈତନିକ ବ୍ୟକ୍ତିଗତ ଡାକ୍ତର ଭାବରେ ନିଯୁକ୍ତି ପାଇଛନ୍ତି । ଏହି ସମ୍ମାନ ଜନକ ନିଯୁକ୍ତି ପାଇବାରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ରାଜ୍ୟ ତଥା ଦେଶରେ ହୋମିଓପ୍ୟାଥିକ ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଡାକ୍ତର ନନ୍ଦଙ୍କର ବିଶେଷ ଅବଦାନ ରହିଛି । ଲକ୍ଷ୍ମୀକାନ୍ତ ନନ୍ଦ ଜଗତସିଂପୁର ଜିଲ୍ଲା ମୁଦିପୁର ପଞ୍ଚାୟତର ବିଶିଷ୍ଟ କବିରାଜ ତଥା ଜନନେତା ବୈକୁଣ୍ଠ ନାଥ ନନ୍ଦଙ୍କ ଜ୍ୟୋଷ୍ଠ ପୁତ୍ର । ସେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଆୟୁଷ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅଧ୍ୟକ୍ଷ ରୂପେ କାର୍ଯ୍ୟକାରୀ ଆସୁଥିଲେ । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସାରା ଓଡ଼ିଶାରେ ବିଶେଷକରି ଡାକ୍ତର ମହଲରେ ଖୁସିର ଲହରୀ ଖେଳି ଯାଇଛି ।



