ଡକ୍ଟର ଆଶୁତୋଷ ପରିଡା ପାଇବେ ୪୭ ତମ ଶାରଳା ପୁରସ୍କାର

ଇଲା-ବଂଶୀଧର ପଣ୍ଡା କଲା ସମ୍ମାନ ପାଇବେ ଦୁର୍ଗାଚରଣ ରଣବୀର ଦାମୋଦର ବେହେରା

ଡକ୍ଟର ଆଶୁତୋଷ ପରିଡା ପାଇବେ ୪୭ ତମ ଶାରଳା ପୁରସ୍କାର
Samaya Live News Picture
Published On

ଭୁବନେଶ୍ୱର : ଚଳିତ ବର୍ଷର ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବେ ପ୍ରସିଦ୍ଧ କବି ତଥା ସୁସାହିତି୍ୟକ ଆଶୁତୋଷ ପରିଡ଼ା । ୨୦୨୪ ମସିହାରେ ପ୍ରଭା ପବ୍ଲିକେସନ୍‌ ଦ୍ୱାରା ପ୍ରକାଶିତ ତାଙ୍କର କବିତା ସଙ୍କଳନ ‘ବିଶ୍ୱାସ ଦେ’ ପୃଥ୍ବୀ’ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ସେ  ୧୯୯୦ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି । ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ସାମାଜିକ ଶାଖା ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ’ (ଇମ୍ପାକ୍ଟ) ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାରସ୍ୱତ କୃତି ଲାଗି ଆଦିକବି ‘ଶାରଳା ପୁରସ୍କାର’ ଘୋଷଣା କରାଯାଇଆସୁଛି । ଆସନ୍ତା ଅକ୍ଟୋବର ୨୫ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଲେଖକଙ୍କୁ ମାନପତ୍ର, ତାମ୍ରଫଳକ ଓ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।

ସୂଚନାନୁସାରେ , ଆଶୁତୋଷ ପରିଡ଼ା ୧୯୪୬ରେ କେନ୍ଦ୍ରାପଡ଼ା ଜିଲାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ କେବଳ ସାହିତି୍ୟକ ନୁହନ୍ତି ବରଂ ଜଣେ ବିଜ୍ଞାନୀ ଭାବେ ମଧ୍ୟ ଭୁବନେଶ୍ୱରସ୍ଥିତ ଖଣିଜ ଏବଂ ପଦାର୍ଥ ପ୍ରୌଦ୍ଧୋଗିକୀ ସଂସ୍ଥା (IMMT)ରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ପ୍ରମୁଖ କବିତା ସଂକଳନତାଙ୍କର ଅନେକ ଉଚ୍ଚକୋଟୀର କବିତା ପୁସ୍ତକ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି। ସେଗୁଡ଼ିକ ମଧ୍ୟରେ ‘ଇପସିତ କ୍ରୋଧ’, ‘ଅପ୍ରସ୍ତୁତ ମୃତ୍ୟୁ, ‘ଅଙ୍ଗାର ଗାର’, ‘ଆକ୍ରାନ୍ତ ଅକ୍ଷର’, ‘ଅନ୍ତରାଳ’, ଏବଂ ‘ଚଣ୍ଡାଳ’ ଆଦି ଅନ୍ତର୍ଭୁକ୍ତ ।

ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ଏବଂ ଶ୍ରେଷ୍ଠ ସୃଜନଶୀଳ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଦିଗରେ ଏହି ପୁରସ୍କାରର ଭୂମିକା ଅତୁଳନୀୟ। ଆଶୁତୋଷ ପରିଡ଼ାଙ୍କ ପରି ଜଣେ ପ୍ରତିଷ୍ଠିତ ଓ ଗଭୀର ଚିନ୍ତନଶୀଳ କବିଙ୍କୁ ଏଭଳି ସମ୍ମାନ ମିଳିବା ଓଡ଼ିଆ କବିତା ଜଗତକୁ ଆହୁରି ଋଦ୍ଧିମନ୍ତ କରିବ ବୋଲି ଆଶା କରାଯାଉଛି ।

ଏହାବ୍ୟତୀତ , କଳାକ୍ଷେତ୍ରରେ ଜୀବନବ୍ୟାପି ସାଧନା ପାଇଁ ଇମ୍ପାକ୍ଟ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା 'ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ' - ୨୦୨୬ମଧ୍ୟ ଘୋଷଣା କରାଯାଇଛି । ଓଡିଶୀ ନୃତ୍ୟଗୁରୁ ତଥା ପଦ୍ମଶ୍ରୀ ଦୁର୍ଗା ଚରଣ ରଣବୀର ଏବଂ ଭାସ୍କର ଓ କଳା ଶିକ୍ଷାବିତ ଦାମୋଦର ବେହେରାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ଉଭୟଙ୍କୁ ମାନପତ୍ର ଏବଂ ତାମ୍ରଫଳକ ସହ ୨  ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ  ।

Tags: