ଓଡ଼ିଶାର ୪ ସହରରେ ସ୍ଥାପନ ହେବ ଡପଲର ରାଡାର: ରାଜସ୍ୱ ମନ୍ତ୍ରୀ

ପାଣିପାଗ ତଥ୍ୟ ର ମିଳିବ ନିର୍ଦ୍ଦିଷ୍ଟ ସୂଚନା

ଓଡ଼ିଶାର ୪ ସହରରେ ସ୍ଥାପନ ହେବ ଡପଲର ରାଡାର: ରାଜସ୍ୱ ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ପାଣିପାଗ ତଥ୍ୟ ଓ ପୂର୍ବାନୁମାନ ଆହୁରି ସଶକ୍ତ ଓ ନିର୍ଦ୍ଦିଷ୍ଟ ହେବ । ଓଡ଼ିଶାର ୪ ସହରରେ ସ୍ଥାପନ ହେବ ଡପଲର ରାଡାର। ସମ୍ବଲପୁରରେ ଡପଲର ରାଡାର ସ୍ଥାପନ କାମ ପ୍ରାୟତଃ ଶେଷ ହୋଇଗଲାଣି । ଖୁବ୍‌ଶୀଘ୍ର ଏହାର ଉଦଘାଟନ କରାଯିବ । ସେହିପରି ବାଲେଶ୍ୱରରେ ପ୍ରସ୍ତାବିତ ଡପଲର ରାଡାର କାମ ମଧ୍ୟ ଶୀଘ୍ର ଶେଷ ହେବ । ଭୁବନେଶ୍ୱର ଓ ପୁରୀରେ ଡପଲର ରାଡାରକୁ ଚଳିତ ବର୍ଷ ସୁଦ୍ଧା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । 

ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ଆଜି ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ କହିଛନ୍ତି, ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ପାଣ୍ଠି ଏବଂ ଆନୁସଙ୍ଗିକ ସୁବିଧା ସୁଯୋଗ କେବେ ପ୍ରତିବନ୍ଧକ ହେବ ନାହିଁ । ଆଗାମୀ ବର୍ଷ ଗ୍ରୀଷ୍ମ ଋତୁ ପୂର୍ବରୁ ବିଭିନ୍ନ ଗ୍ରୀଷ୍ମ ଲହରୀ ପ୍ରଭାବିତ ଜିଲ୍ଲାମାନଙ୍କରେ ପ୍ରସ୍ତାବିତ ହିଟ୍ ୱେଭ୍ ସେଣ୍ଟର୍ ନିର୍ମାଣ କାର୍ଯ୍ୟ ସାରିବାକୁ ମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ । ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ କେନ୍ଦ୍ର ନିର୍ମାଣର ଅଗ୍ରଗତି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ଏସଆରସି ରାଜେଶ ପ୍ରଭାକର ପାଟିଲ, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ଗ୍ରାମ୍ୟ ଉନ୍ନୟନ ବିଭାଗ ଶାସନ ସଚିବ ଯାମିନୀ ଷଡ଼ଙ୍ଗୀ, ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

 

Tags: