ସ୍କ୍ରବ ଟାଇଫସ କୁ ନେଇ ଭୟଭୀତ ହୁଅନ୍ତୁ ନାହିଁ - ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ସୁନ୍ଦରଗଡ଼ ଏବଂ ଅନୁଗୁଳରେ ଚିନ୍ତା ବଢ଼ାଇଛି ସ୍କ୍ରବ ଟାଇଫସ ସଂକ୍ରମଣ। ସେହିପରି ରାୟଗଡା ଆଦି ସ୍ଥାନରୁ ଜଣ୍ଡିସ ସହିତ ଡାଇରିଆ ଆତଙ୍କ ଦେଖାଦେଇଛି । ଏଭଳି ଜଟିଳ ପରିସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍କ୍ରବ୍ ଟାଇଫସକୁ ନେଇ ସାଧାରଣ ଜନତା ଆତଙ୍କିତ ନ ହେବାକୁ ସେ ଆଶ୍ୱାସନା ଦେବା ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଥିବା ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, ଏଲିସା (ELISA) ଟେଷ୍ଟ ବିନା ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ନିଶ୍ଚିତ କରାଯାଇପାରିବ ନାହିଁ। ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା କୌଣସି ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇନାହିଁ। ସୁନ୍ଦରଗଡ଼ରୁ ଆସିଥିବା ଅଭିଯୋଗଗୁଡ଼ିକ ପୁରୁଣା ମାମଲା ହୋଇଥାଇପାରେ, ଯାହାର ପୁନଃ ତର୍ଜମା କରାଯାଉଛି। ପରିସ୍ଥିତିର ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ସୁନ୍ଦରଗଡ଼ ଓ ପାଲଲହଡ଼ା ଗସ୍ତ କରିଛନ୍ତି। ସମ୍ପୂର୍ଣ୍ଣ ସ୍ଥିତି ଉପରେ ବିଭାଗୀୟ ସ୍ତରରେ ସାପ୍ତାହିକ ନଜର ରଖାଯାଉଥିବା ବେଳେ ମନ୍ତ୍ରୀ ନିଜେ ମଧ୍ୟ ଏହାର ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି।
ସେପଟେ, ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜଣକ ପରେ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏବେ ସୁଦ୍ଧା ୫ ହଜାର ୬ ଶହ ୬ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ ୮୭୧ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି । ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ତିନିଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଯଦିଓ ଏହି ରୋଗରେ ଜିଲ୍ଲାରେ କାହାରି ମୃତ୍ୟୁ ହୋଇନାହିଁ, କିନ୍ତୁ ପ୍ରତ୍ୟେକ ଦିନ ରୋଗୀ ସଂଖ୍ୟା ବଢୁଥିବାରୁ ଚିନ୍ତା ବଢ଼ିଛି । ଗାଁ ଗାଁରେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ମେଡିକାଲ ଟିମ୍ ଲୋକଙ୍କୁ ସଚେତନ କରିବା ସହ ଜଙ୍ଗଲ ଓ ବିଲକୁ ଗଲେ ପୂରା ପୋଷାକ ପିନ୍ଧି ସତର୍କ ରହିବା ଏବଂ ଜ୍ବର ହେଲେ ତୁରନ୍ତ ଡାକ୍ତରଖାନା ଆସିବା ପାଇଁ ପରାମର୍ଶ ଦେଉଛନ୍ତି ।




