ଆଜିଠାରୁ ଅନିର୍ଦିଷ୍ଟ କାଳ ଯାଏଁ ଡାକ୍ତର ଆନ୍ଦୋଳନ
ଭୁବନେଶ୍ୱର : ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ରୋଗୀ ସେବା ବନ୍ଦ । ଜାତୀୟ ଡାକ୍ତର ଦିବସରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଓଡ଼ିଶା ମେଡିକାଲ ସେବା ସଂଘ (ଓମସା)ର ଆହ୍ବାନକ୍ରମେ ୧୦ ଦଫା ଦାବି ନେଇ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତର କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ଗତ ଦେଢ଼ବର୍ଷ ହେବ ରାଜ୍ୟ ସରକାର ଡାକ୍ତରଙ୍କ କୌଣସି ଦାବି ପୂରଣ ଦିଗରେ ପଦକ୍ଷେପ ନେଉ ନଥିବାରୁ ଓମସା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ରାଜ୍ୟରେ ସ୍ବାସ୍ଥ୍ୟସେବା ଭୀଷଣ ଭାବେ ବ୍ୟାଘାତ ହେବାର ଆଶଙ୍କା ପ୍ରକାଶ ପାଇଛି ।
ଜୁଲାଇ ପହିଲା ବା ଡାକ୍ତର ଦିବସରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିଲା । ଆନ୍ଦୋଳନ ଯୋଗୁଁ ରାଜ୍ୟର ସମସ୍ତ ସରକାରୀ ଚିକିତ୍ସା ପ୍ରତିଷ୍ଠାନରେ କୌଣସି ସେବା ଉପଲବ୍ଧ ହେବ ନାହିଁ। ବିଶେଷ କରି ଓପିଡି ବା ବାହ୍ୟ ରୋଗୀ ବିଭାଗ),ଆଇପିଡି ବା ଆନ୍ତଃରୋଗୀ ବିଭାଗ, ନିର୍ଦ୍ଧାରିତ ଚିକିତ୍ସା ଓ ଅପରେସନ ପ୍ରକ୍ରିୟା,ନିଦାନମୂଳକ ସେବା (ଯଥା: ରକ୍ତ ପରୀକ୍ଷା, ଏକ୍ସ-ରେ ଇତ୍ୟାଦି),ଜରୁରୀକାଳୀନ ସେବା ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ଓମସା ନିର୍ଦ୍ଦେଶ ଦେଇଛି।
ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଓମସା ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଥିଲେ । ମାତ୍ର ରାଜ୍ୟ ସରକାରଙ୍କ କଥାରେ ଭରସା ନ ଥିବାରୁ ଡାକ୍ତରମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ଗତ ବିଳମ୍ବିତ ରାତିରେ ଓମସାର ଆକ୍ସନ କମିଟିର ଏକ ଜରୁରୀ ବୈଠକ ବସିଥିଲା ।
ଡାକ୍ତରଙ୍କ ଦାବିର ସମାଧାନ ପାଇଁ ରାଜ୍ୟ ସରକାର ଯେଉଁ କମିଟି ଗଠନ କରିଥିଲେ, ସେ ବୈଠକ ବସିପାରିଲା ନାହିଁ । ପ୍ରତିବାଦ କରୁଥିବା ଡାକ୍ତରଙ୍କ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ, ତା’ ହେଲେ ପ୍ରଥମେ ଜିଲ୍ଲାସ୍ତରରେ ଏସପି କିମ୍ବା ସ୍ଥାନୀୟ ପୋଲିସ ଥାନା କାର୍ଯ୍ୟାଳୟ ଘେରାଉ କରାଯିବ । ପରେ ଜେଲ୍ ଭରୋ ଆନ୍ଦୋଳନ ଲାଗି ଓମସା ପକ୍ଷରୁ ଚେତାବନୀ ଦିଆଯାଇଛି ।
ଅପରପକ୍ଷରେ ଓମସା ପକ୍ଷରୁ ଘୋଷଣା ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଛି କଟକ ଏସ୍ ସିବି ମେଡିକାଲ ଜୁନିୟର ଡାକ୍ତର ସଂଘ । ଜେଡିଏର ସଦସ୍ୟମାନେ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଡାକ୍ତରଙ୍କ ଦାବିକୁ ସରକାର ତୁରନ୍ତ ବିଚାର କରି ସମାଧାନ କରନ୍ତୁ । ନଚେତ୍ ଜେଡିଏ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଘୋଷଣା କରାଯାଇଛି । 'ଓମସା'ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟର ଉପାନ୍ତ ଜିଲ୍ଲା ବିଭିନ୍ନ ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ଗୁରୁତର ଭାବେ ବିପର୍ଯ୍ୟସ୍ତ ହୋଇଛି ।




