ମୃତ୍ୟୁ ପରେ ବି ଜୀବନ ବଞ୍ଚାଇ ଅମର ହେଲେ ଡାକ୍ତର

ମୃତ୍ୟୁ ପରେ ବି ଜୀବନ ବଞ୍ଚାଇ ଅମର ହେଲେ ଡାକ୍ତର
Samaya Live News Picture
Published On

ଭୁବନେଶ୍ୱର : ଡାକ୍ତରଙ୍କୁ କୁହାଯାଏ ୨ୟ ଭଗବାନ । ଏହି ଉକ୍ତିକୁ ସତ୍ୟରେ ପରିଣତ କରିଛନ୍ତି ସେହିପରି ଜଣେ ଡାକ୍ତର । ବଞ୍ଚିଥିବା ବେଳେ ରୋଗୀ ସେବା କରି ଜୀବନ ବଞ୍ଚାଉଥିଲେ । ମୃତ୍ୟୁ ପରେ ବି ଜୀବନ ବଞ୍ଚାଇ ଅମର ହୋଇଯାଇଛନ୍ତି ଭଦ୍ରକ ଜିଲ୍ଲାର ହୋମିଓ ପାଥିକ୍‌ ଚିକିତ୍ସିକ ଡ. ରାଧା ପାଢୀ । ଗତ ଏପ୍ରିଲ ୨ରେ ରାଧାଙ୍କୁ ଭୁବନେଶ୍ବର ଏମ୍ସରେ ବ୍ରେନ୍ ଷ୍ଟେମରେ ମୃତ ଘୋଷଣା କରିଥିଲେ ଡାକ୍ତର । ପରିବାର ଲୋକେ ତାଙ୍କ ଯକୃତ ଦାନ କରି ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇଛନ୍ତି । ମୃତ୍ୟୁ ପରେ ମଧ୍ୟ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କରିଛନ୍ତି ମହିଳା ଡାକ୍ତର ରାଧା ପାଢୀ । ହସ୍ପିଟାଲରେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଛି ।

ସୂଚନାନୁସାରେ, ଭଦ୍ରକ ଜିଲ୍ଲାର ଜଣେ ଉତ୍ସର୍ଗୀକୃତ ହୋମିଓ ପାଥିକ୍ ଚିକିତ୍ସକ ଡ.ରାଧା ପାଢ଼ୀ । ଦୀର୍ଘ ବର୍ଷ ଧରି ପ୍ଲେଟଲେଟ୍ ରୋଗରେ ଆକ୍ରାନ୍ତ ଥାଇ ଏମ୍ସରେ ଚିକିତ୍ସାଧୀନ ଥିଲେ । ତେବେ ଚଳିତ ମାସ ୨ ତାରିଖରେ ରାଧାଙ୍କୁ ବ୍ରେନଷ୍ଟେମ୍ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ଏହାପରେ ପରିବାର ସଦସ୍ୟ ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଅଙ୍ଗଦାନ କରିବାକୁ ସମ୍ମତି ପ୍ରଦାନ କରିଥିଲେ । ଗତ ୩ ଏପ୍ରିଲରେ ଏମ୍ସ ହସ୍ପିଟାଲ ର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ଏକ ଟିମଙ୍କ ଦ୍ୱାରା ତାଙ୍କ ଯକୃତକୁ ୪୬ ବର୍ଷୀୟ ଜଣେ ପୁରୁଷ ରୋଗୀଙ୍କ ଶରୀରରେ ସଫଳତାର ସହିତ ପ୍ରତିରୋପଣ କରାଯାଇଥିଲା । ଯକୃତ ପ୍ରତିରୋପିତ ହୋଇଥିବା ବ୍ୟକ୍ତିଜଣଙ୍କ ସୁସ୍ଥ ଅଛନ୍ତି । ମଙ୍ଗଳବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି । ନିଜ ବୃତ୍ତିକୁ ଚରିତାର୍ଥ କରି ମୃତ୍ୟୁ ପରେ ମଧ୍ୟ ଚିକିତ୍ସାଧୀନ ରୋଗୀଙ୍କୁ ନିଜ ଯକୃତ ଦାନ କରି ତାଙ୍କ ଜୀବନ ବଞ୍ଚାଇ ଅମର ହୋଇଛନ୍ତି ଡ଼. ରାଧା ପାଢ଼ୀ  ।

Tags: