ମୁଖ୍ୟମନ୍ତ୍ରୀ ନିବାସରେ ପାଳନ ହେବ ନାହିଁ ଦୀପାବଳି, ସରକାରୀ ସଂସ୍ଥାରେ ‘ନୋ ଗିଫ୍ଟ ପଲିସି’ ଲାଗୁ

ମୁଖ୍ୟମନ୍ତ୍ରୀ ନିବାସରେ ପାଳନ ହେବ ନାହିଁ ଦୀପାବଳି, ସରକାରୀ ସଂସ୍ଥାରେ ‘ନୋ ଗିଫ୍ଟ ପଲିସି’ ଲାଗୁ
Samaya Live News Picture
Published On

ଭୁବନେଶ୍ୱର : ବନ୍ୟା ବିପନ୍ନଙ୍କ ଦୁଃଖରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନିବାସରେ ପାଳନ ହେବନି ଦୀପାବଳି। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖାଦେଇଛି ବ୍ୟାପକ କ୍ଷୟକ୍ଷତି। ବିପର୍ଯ୍ୟୟର ଏଭଳି ସ୍ଥିତିରେ ଉତ୍ସବ ପାଳନରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏପରିକି ଦୀପାବଳିରେ ଶୁଭେଚ୍ଛା ଜଣାଇବାକୁ ଆସୁଥିବା ଲୋକଙ୍କୁ ଉପହାର କିମ୍ବା ଫୁଲତୋଡ଼ା ନ ଆଣିବାକୁ ଅନୁରୋଧ କରାଯାଇଛି । ଏହାସହ ବିପନ୍ନଙ୍କ ସହାୟତାରେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଆହ୍ୱାନ ।

ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଶୁଭେଚ୍ଛୁ ଓ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି । ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ନିବାସକୁ କେହି ଉପହାର କିମ୍ବା ଫୁଲତୋଡ଼ା ନେଇ ନ ଆସିବାକୁ କୁହାଯାଇଛି । କେବଳ ଉତ୍ସବ ପାଳନରୁ ଦୂରେଇ ରହିବା ନୁହେଁ, ବରଂ ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହେବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି ।

ସେହିଭଳି, ସରକାରୀ କାର୍ଯ୍ୟାଳୟ ରେ ମଧ୍ୟ ଲାଗିଛି ଦୀପାବଳି କଟକଣା । ଦୀପାବଳି ସହ ଅନ୍ୟ ପର୍ବପର୍ବାଣୀରେ ଉପହାର କିଣା ଉପରେ ରୋକ ଲଗାଯାଇଛି । ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ  ରାଷ୍ଟ୍ରାୟତ୍ତ ସଂସ୍ଥା ପାଳିବେ ‘ନୋ ଗିଫ୍ଟ ପଲିସି’  (ଉପହାର ବର୍ଜନ ନୀତି) ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ନଭେମ୍ବର ୫ ତାରିଖରେ ଏ ସଂକ୍ରାନ୍ତରେ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବମାନଙ୍କୁ ଚିଠି ଲେଖିଛନ୍ତି । ଏହି ନିର୍ଦ୍ଦେଶ ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ସରକାରୀ ଉଦ୍ୟୋଗଗୁଡ଼ିକ ପାଇଁ ମଧ୍ୟ ଲାଗୁ ହେବ ।

 

 

Tags: