ବିଳମ୍ବରେ ଆସିବାରୁ ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠକୁ ବାରଣ କଲେ ଜିଲ୍ଲାପାଳ
ରାୟଗଡା : ଆଜି ରାୟଗଡାରେ ଥିଲା ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି I ପ୍ରକୋଷ୍ଠକୁ ଜିଲ୍ଲାପାଳ ଠିକ ସମୟରେ ପହଞ୍ଚିଥିଲା ମଧ୍ୟ କିଛି ଜିଲ୍ଲାସ୍ତରୀୟ ଅଧିଳାରୀ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ବିଳମ୍ବରେ ପହଞ୍ଚିଥିଲେ I ଏହାକୁ ନେଇ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ବିରକ୍ତି ପ୍ରକାଶ କରି ସେମାନଙ୍କୁ ଅଭିଯୋଗ ପ୍ରକୋଷ୍ଠକୁ ପ୍ରବେଶ ପାଇଁ ବାରଣ କରିଥିଲେ । ଏମାନଙ୍କ ମଧ୍ୟରେ ଅଛନ୍ତି ଅବକାରୀ ବିଭାଗ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦାଶରଥି ସୋରେନ ଓ ରାୟଗଡ଼ା ବିଡ଼ିଓ ସୁଜିତ୍ ମିଶ୍ରଙ୍କ ସମେତ ପ୍ରାୟ ୧୨ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଏହିଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲାପାଳ କୁଳକର୍ଣୀ।
ସୂଚନା ଅନୁସାରେ, ଚଳିତ ବର୍ଷର ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଚାଲିଥିଲା । ଠିକ୍ ୧୦ଟା ରେ ପହଞ୍ଚିଥିଲେ ଜିଲ୍ଲାପାଳ ଆଶୁତୋଷ କୁଳକର୍ଣି। ହେଲେ ଅଧିକାଂଶ ଜିଲ୍ଲା ସ୍ତରୀୟ ଅଧିକାରୀ ଶୁଣାଣିରେ ପହଞ୍ଚି ନଥିଲେ । ଏନେଇ ଜିଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ତୁରନ୍ତ ସୁରକ୍ଷା କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କୁ ବିଳମ୍ବରେ ଆସିଥିବା ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠ ଭିତରକୁ ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏପରିକି ରାୟଗଡା ଉପଜିଲାପାଳ ରମେଶ ଜେନାଙ୍କୁ ମଧ୍ୟ ବିଳମ୍ବରେ ଆସିବାରୁ ଭିତରକୁ ଛଡା ଯାଇନଥିଲା । ଅପ୍ରିତିକର ପରିସ୍ଥିତିରେ ପଡିଯାଇଥିବା ଯୋଗୁଁ ଅଧିକାରୀମାନେ ବାଧ୍ୟ ହୋଇ ଶୁଣାଣି ପ୍ରକୋଷ୍ଠ ପାର୍ଶ୍ୱରେ ଥିବା ଇନୋଭେସନ ସେଲରେ ବସି ରହିଥିଲେ । ଅଭିଯୋଗ ଶୁଣାଣି ୧ ଘଣ୍ଟାରୁ ଉର୍ଦ୍ଧ ହୋଇ ଯାଇଥିଲେ ମଧ୍ୟ ଅଧିକାରୀମାନେ ବାହାରେ ଅପେକ୍ଷା କରି ବସିଥିବା ଦେଖିବାକୁ ମିଳିଥିଲା ।



