ଲିଙ୍ଗରାଜଙ୍କ ନୀତି ବିଭ୍ରାଟ, ପୁଣି ଉପାସ ରହିଲେ ମହାପ୍ରଭୁ
ଭୁବନେଶ୍ୱର : ଦିନକୁ ଦିନ ବଢିଚାଲିଛି ଲିଙ୍ଗରାଜ ସେବାୟତଙ୍କ ମନମାନୀ । ପୁଣି ଉପାସ ରହିଲେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ । ୨ ନିଯୋଗ ମଧ୍ୟରେ ବଚସା ଯୋଗୁଁ ମନ୍ଦିରରେ ନୀତିକାନ୍ତି ବିଭ୍ରାଟ ଦେଖାଦେଇଛି । ସେବାୟତ ବିବାଦ ଯୋଗୁଁ ଗତକାଲି ରାତି ୧୧ଟାରୁ ନୀତିକାନ୍ତି ବନ୍ଦ ରହିଛି । ଲିଙ୍ଗରାଜଙ୍କ ବଡ଼ସିଂହାର ପରେ ବନ୍ଦ ରହିଛି ନୀତିକାନ୍ତି । ଫଳରେ ମନ୍ଦିରରେ ଦେଖାଦେଇଛି ଅଚଳାବସ୍ଥା । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ପୂଜା ନକରି ପାରି ନିରାଶ ହୋଇ ଫେରୁଛନ୍ତି ।
ଖବର ଅନୁସାରେ , ସେବାକୁ ନେଇ ପୂଜାପଣ୍ଡା ଓ ପତ୍ରୀ ସେବାୟତଙ୍କ ମଧ୍ୟରେ ମତଭେଦ ଉପୁଜିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ପୂଜା ପଣ୍ଡା ଓ ସୁଆର ସେବାୟତଙ୍କ ମଧ୍ୟରେ ପୂଜାକୁ ନେଇ ବିବାଦ ଦେଖାଦେଇଛି । ବିବାଦ ଯୋଗୁଁ ଗତକାଲି ରାତି ୧୧ଟାରୁ ସମସ୍ତ ପୂଜାର୍ଚ୍ଚନା ଓ ନୀତି ବନ୍ଦ ରହିଛି । ଫଳରେ ମନ୍ଦିରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିର୍ଦ୍ଧାରିତ ନୀତିକାନ୍ତି ଆଗକୁ ବଢ଼ିପାରିନାହିଁ । ବାରମ୍ବାର ମହାପ୍ରଭୁଙ୍କୁ ଉପାସରେ ରଖା ଯିବାରୁ ଖପ୍ପା ହୋଇଛନ୍ତି ଶ୍ରଦ୍ଧାଳୁ । ସେବାୟତଙ୍କ ମନମାନି ପାଇଁ ବଢୁଛି ଅସନ୍ତୋଷ । ତେଣୁ ଏହି ବିବାଦ ସମାଧାନ ଖୁବଶୀଘ୍ର କରିବାକୁ ସାଧାରଣରେ ଦାବି ଉଠିଛି ।
ଏହି ବିବାଦର ସମାଧାନ ପାଇଁ ଆଜି ମନ୍ଦିର ପ୍ରଶାସନ ଓ ସମ୍ପୃକ୍ତ ସେବାୟତ ଗୋଷ୍ଠୀ ମଧ୍ୟରେ ବୈଠକ ବସିବ। ବୈଠକରେ ଆଲୋଚନା ପରେ ନୀତିକାନ୍ତି ସ୍ୱାଭାବିକ ହେବା ନେଇ ଆଶା ରହିଛି । ଏନେଇ ସଚ୍ଚି ପୂଜାପଣ୍ଡା ସୂଚନା ଦେଇଛନ୍ତି।




