ଦୟାଲ ଗଙ୍ଗୱାରଙ୍କ ବିରୋଧରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଦୟାଲ ଗଙ୍ଗୱାରଙ୍କ ବିରୋଧରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
Samaya Live News Picture
Published On

ଭୁବନେଶ୍ୱର :  ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ବଢିଲା ଅଡୁଆ। ତାଙ୍କ ବିରୋଧରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ଏଥିପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ DGPଙ୍କୁ ମଗାଗଲା ଚାର୍ଜସିଟ୍ ଚିଠା। ରାଜ୍ୟ ଗୃହ ବିଭାଗର ନିଲମ୍ବିତ ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଆନୁଷ୍ଠାନିକ ଭାବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଚଳିତ ମାସ ପ୍ରଥମ ସପ୍ତାହରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ବାଲିଅନ୍ତା ସୌମ୍ୟରଂଜନ ସ୍ୱାଇଁ ହତ୍ୟାକାଣ୍ଡ ପରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ ସରକାର ।

ସରକାରୀ ନିୟମ ଅନୁଯାୟୀ, କୌଣସି ଅଧିକାରୀ ନିଲମ୍ବିତ ହେବାର ୩୦ ଦିନ ମଧ୍ୟରେ ତାଙ୍କ ବିରୋଧରେ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ ହେବା ଜରୁରୀ । ସେହି କ୍ରମରେ ଜୁନ୍ ୨୯ ରେ ଗୃହ ବିଭାଗ ପକ୍ଷରୁ ପୋଲିସ ବିଭାଗକୁ ଏକ ସ୍ମାରକପତ୍ର ପଠାଯାଇଛି । ଅନୁମୋଦନ ପାଇଁ ଆବଶ୍ୟକ ସମସ୍ତ ଦସ୍ତାବିଜ ତୁରନ୍ତ ପଠାଇବାକୁ କୁହାଯାଇଛି । ଓଡ଼ିଶା କ୍ୟାଡରର ୧୯୯୮ ବ୍ୟାଚ୍ ଆଇପିଏସ ଅଫିସର ଦୟାଲ ଗଙ୍ଗୱାରଙ୍କୁ ଗତ ଜୁନ୍ ୧୮ ତାରିଖରେ ସରକାରୀ ନିର୍ଦ୍ଦେଶନାମା ବଳରେ ନିଲମ୍ବନ କରାଯାଇଥିଲା ।

ସାଧାରଣତଃ ଚାକିରି କାଳ ମଧ୍ୟରେ ଗୁରୁତର ଦୁର୍ନୀତି, ଅସଦାଚରଣ କିମ୍ବା କୌଣସି ବେଆଇନ କାର୍ଯ୍ୟକଳାପର ଅଭିଯୋଗ ଆସିଲେ ସରକାର ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଥାନ୍ତି । ସର୍ବଭାରତୀୟ ସେବା ନିୟମ, ୧୯୬୯ ଅନୁଯାୟୀ ଏହି ମାମଲାକୁ ଆଗକୁ ବଢ଼ାଇବା ପାଇଁ DGPଙ୍କୁ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି । 

ସୂଚନାନୁସାରେ , ବାଲିଅନ୍ତାର ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଦୟାଲ ଗଙ୍ଗୱାରଙ୍କ ନାଁକୁ ନେଇ ପ୍ରବଳ ବିବାଦ ଦେଖାଦେଇଥିଲା। ଆଇପିଏସ୍ ଦୟାଲ ଗଙ୍ଗୱାର କନଷ୍ଟେବଳ ସୌମ୍ୟରଞ୍ଜନଙ୍କୁ ନିଜ ବ୍ୟକ୍ତିଗତ କାମରେ ନିୟୋଜିତ କରୁଥିଲେ, ସୌମ୍ୟଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ତାଙ୍କ ବାପା ଓ ମାଆ ସିଧାସଳଖ ଅଭିଯୋଗ ଆଣିଥିଲେ । ସୌମ୍ୟ ମୃତ୍ୟୁ ମାମଲାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇ ସାରିଲାଣି ।

 

Tags: