ନିରାଶ ହୋଇ ସିଙ୍ଗାପୁରରୁ ଫେରିଲେ ସାର୍ଥକଙ୍କ ମା' ଓ ମାମୁଁ
୧୫ ଦିନ ହେବ ଜାହାଜରୁ ନିଖୋଜ ଅଛନ୍ତି ୨୩ ବର୍ଷୀୟ ଓଡ଼ିଆ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ସାର୍ଥକ ମହାପାତ୍ର
ଭୁବନେଶ୍ୱର : ଓଡ଼ିଆ ନେଭି କ୍ୟାଡେଟ ସାର୍ଥକ ମହାପାତ୍ର ନିଖୋଜ ଘଟଣା । ଘଟଣାକୁ ୧୫ ଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ । ଖୋଜିବାକୁ ଯାଇ ସିଙ୍ଗାପୁରରୁ ନିରାଶ ହୋଇ ଫେରିଛନ୍ତି ମାମୁଁ ଓ ମା' । ପୁଅର କୌଣସି ଖୋଜ ଖବର ପାଇ ପାରି ନଥିବାବେଳେ ସେଠାରେ କମ୍ପାନୀ କର୍ତୃପକ୍ଷ କୌଣସି ସହଯୋଗ କରିନଥିବା ଅଭିଯୋଗ କରିଛନ୍ତି ।
ନିଖୋଜ ଥିବା ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ମାଆ ରଶ୍ମିତା ମହାପାତ୍ର ଏବଂ ମାମୁ ସିଙ୍ଗାପୁର ଯାଇଥିଲେ । ସିଙ୍ଗାପୁରରୁ ଫେରି ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତାଙ୍କ ମାମୁଁ କହିଛନ୍ତି,ଯେଉଁ ଆଶା ନେଇ ଯାଇଥିଲୁ ତାହା ମଉଳି ଯାଇଛି । ସାର୍ଥକଙ୍କ ସହ କିଛି ବି ଅଘଟଣ ଘଟିଥାଇ ପାରେ । କମ୍ପାନୀ କର୍ମଚାରୀଙ୍କ ବ୍ୟବହାର ଦେଖି ସେମାନଙ୍କର ସନ୍ଦେହ ଆହୁରି ଦୃଢ଼ୀଭୂତ ହୋଇଛି । ସାର୍ଥକ କାମ କରୁଥିବା ଆଙ୍ଗଲୋ ଇଷ୍ଟର୍ଣ୍ଣ ସିପିଂ କମ୍ପାନୀ କୌଣସି ପ୍ରକାର ସହଯୋଗ କଲେନି । ସିଙ୍ଗାପୁରରେ ଥିବା ଭାରତୀୟ ହାଇକମିଶନର ଅଜୟ ସିଂ ମଧ୍ୟ ଭେଟିଥିଲେ । ସେମାନଙ୍କୁ କେବଳ ୨ ଘଣ୍ଟା ପାଇଁ ସାର୍ଥକଙ୍କ କ୍ୟାବିନକୁ ଯିବାକୁ ଅନୁମତି ଥିଲା । ଆଉ କୌଣସି ସ୍ଥାନକୁ ଯିବାକୁ କିମ୍ବା କାହାକୁ ଭେଟିବାକୁ ଅନୁମତି ଦିଆଗଲା ନାହିଁ । ସାର୍ଥକର ସହକର୍ମଚାରୀଙ୍କ ସହିତ ମଧ୍ୟ ବାର୍ତ୍ତାଳାପ କରିବାକୁ ଅନୁମତି ମିଳିନଥିଲା । ପାଖାପାଖି ୧୦ରୁ ୧୫ ଜଣ ଲୋକେ ସେମାନଙ୍କୁ ଘେରିକି ରହୁଥିଲେ । ଜାଣିଶୁଣି ସମୟ ଗଡ଼ାଇବା ସହିତ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଜାହାଜରୁ ବାହାର କରିଦେଇଥିଲେ । କମ୍ପାନୀ ସାର୍ଥକଙ୍କ ବାବଦରେ କୌଣସି ତଥ୍ୟ ଲୁଚାଉଥିବା ପରିବାର ସନ୍ଦେହ କରୁଛି ।
ସୂଚନାନୁସାରେ,ଆଜିକୁ ୧୫ ଦିନ ହେବ ଜାହାଜରୁ ନିଖୋଜ ଅଛନ୍ତି ୨୩ ବର୍ଷୀୟ ଓଡ଼ିଆ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ସାର୍ଥକ ମହାପାତ୍ର । ସେ ଗତ ଜୁଲାଇ ୨୦୨୫ ରେ ଆଙ୍ଗଲୋ ଇଷ୍ଟର୍ଣ୍ଣ ସିପିଂ କମ୍ପାନୀର ସିପ୍ EA Jersey ରେ ଇଂଟର୍ନ କ୍ୟାଡେଟ ଭାବେ ଯୋଗ ଦେଇଥିଲେ । ଗତ ୩ ତାରିଖରେ ଜାହାଜରେ ସିଙ୍ଗାପୁରରୁ ଚାଇନକୁ ଫେରିବା ସମୟରେ ମଝି ସମୁଦ୍ରରେ ରହସ୍ୟମୟ ଭାବେ ଗାୟବ ହୋଇଯାଇଥିଲେ ସାର୍ଥକ । ସକାଳ ୬ଟା ୧୫ରେ ତାଙ୍କୁ ଶେଷଥର ପାଇଁ କ୍ୟାବିନକୁ ଯାଉଥିବା ଦେଖାଯାଇଥିଲା। କିନ୍ତୁ ସକାଳ ପ୍ରାୟ ୮ଟା ୩୦ରେ ଚିଫ୍ ଅଫିସର ତାଙ୍କ କ୍ୟାବିନ ଯାଞ୍ଚ କରିବାକୁ ଯାଇଥିବାବେଳେ ତାହା ଖାଲି ଥିଲା। ଏହାପରେ ସମଗ୍ର ଜାହାଜରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା । ମାତ୍ର ସାର୍ଥକଙ୍କର କୌଣସି ସନ୍ଧାନ ମିଳିନଥିଲା । ତେବେ ଅଭିଯୋଗ ଆସିଛି ଯେ କେବଳ ସାର୍ଥକ ନୁହନ୍ତି, ‘ EA Jersey’ ଜାହାଜରୁ ଆହୁରି ଅନେକ ନାବିକ ପୂର୍ବରୁ ଗାଏବ୍ ହୋଇଛନ୍ତି ।



