ଦିଲ୍ଲୀପ କୁମାର ନାୟକ ବିଜେଡିରୁ ନିଲମ୍ବିତ
ଭୁବନେଶ୍ୱର : ବିଜୁ ଜନତା ଦଳ (ବିଜେଡି)ରୁ ନିଲମ୍ବିତ ହୋଇଛନ୍ତି ନିମାପଡ଼ା ବିଜେଡି ନେତା ଦିଲ୍ଲୀପ କୁମାର ନାୟକ। ଜାଲିଆତି ପୂର୍ଣ୍ଣ କାର୍ଯ୍ୟ କଳାପ ତଥା ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ଦଳ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଧାରଣ ସମ୍ପାଦକ ବିଜୟ ନାୟକଙ୍କ ଦସ୍ତଖତରେ ଶଙ୍ଖ ଭବନରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି ।
ସୂଚନା ଅନୁଯାୟୀ, ଗତ ବିଧାନସଭା ନିର୍ବାଚନରେ ଦିଲ୍ଲୀପ କୁମାର ନାୟକ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିଲେ । ତେବେ ପୂର୍ବରୁ ଜମି କିଣାବିକା ଓ ନିବେଶ ଠକେଇ ମାମଲାରେ ଅର୍ଥନୈତିକ ଅପରାଧ ଶାଖା (EOW) ଦ୍ୱାରା ସେ ଗିରଫ ହୋଇ ଜେଲ ଯାଇଥିଲେ ଏବଂ ନିକଟରେ ଜାମିନରେ ମୁକୁଳିଥିଲେ । ତେବେ ତାଙ୍କ ବିରୋଧରେ ଜାଲିଆତିପୂର୍ଣ୍ଣ କାର୍ଯ୍ୟ ଓ ଦଳବିରୋଧୀ କାର୍ଯ୍ୟକଳାପ ସମ୍ପର୍କିତ ଅଭିଯୋଗ ଆସିବା ପରେ ଦଳ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି । ଏହି ଘଟଣା ପରେ ନିମାପଡ଼ା ନିର୍ବାଚନମଣ୍ଡଳୀର ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ଜୋର ଧରିଛି ।




