ରାୟଗଡ଼ାରେ ଡାଇରିଆ ସହ ଜଣ୍ଡିସ ସଂକ୍ରମଣ ବୃଦ୍ଧି
ରାୟଗଡା : ରାୟଗଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପୁଛି ଡାଇରିଆ । ଖବର ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗ ତ୍ୱରିତ ପଦକ୍ଷେପ ନେଇ ଏକ ସ୍ୱତନ୍ତ୍ର ମନିଟରିଂ ଟିମ୍ କୁ ସ୍ଥିତି ଅନୁଧ୍ୟାନ ପାଇଁ ପଠାଇଛି । ଡାଇରିଆର ମୁଖ୍ୟ କାରଣ ଦୂଷିତ ପାନୀୟ ଜଳ ଓ ଖାଦ୍ୟ ହୋଇଥିବାରୁ, ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ପ୍ରଭାବିତ ଅଞ୍ଚଳରେ ଆବଶ୍ୟକୀୟ ଔଷଧ ସହ ଚିକିତ୍ସା ସେବା ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି । ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ମଧ୍ୟ ସ୍ଥାନୀୟ ହୋଟେଲ ଗୁଡିକରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରାଯାଇଛି ।
ସେହିପରି, ରାୟଗଡ଼ା ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ ରବାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଦେଖାଦେଇଛି ଜଣ୍ଡିସ୍ ଆତଙ୍କ । ହଷ୍ଟେଲରେ ରହୁଥିବା ପ୍ରାୟ ୭୦ ରୁ ଅଧିକ ଛାତ୍ରୀ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଥିବା ବେଳେ ୧୦୦ ରୁ ଅଧିକ ଛାତ୍ରୀଙ୍କଠାରେ ସମାନ ଲକ୍ଷଣ ଦେଖାଯାଇଛି । କିଛି ଗୁରୁତର ଛାତ୍ରୀଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜଣ୍ଡିସ୍ ବ୍ୟାପିବା ଖବର ପରେ ଭୟଭୀତ ହୋଇ ୬୦ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଘରକୁ ଚାଲିଯାଇଥିବା ସୂଚନା ମିଳିଛି ।
ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଚିକିତ୍ସା ଦଳ ବିଦ୍ୟାଳୟରେ ପହଞ୍ଚି ସମସ୍ତ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ରକ୍ତ ନମୁନା ସଂଗ୍ରହ କରିଛନ୍ତି । ଦୂଷିତ ନଳକୂପ ପାଣି ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଥିବା ସନ୍ଦେହରେ ନଳକୂପ ପାଣି ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ବର୍ତ୍ତମାନ ଟାଙ୍କି ଜରିଆରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି ଏବଂ ଛାତ୍ରୀମାନଙ୍କୁ ଫୁଟାଯାଇଥିବା ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ଆକ୍ରାନ୍ତ ଛାତ୍ରୀମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ହଷ୍ଟେଲର ପରିବେଶ, ପାନୀୟ ଜଳ ଓ ଖାଦ୍ୟ ବ୍ୟବସ୍ଥାକୁ ନେଇ ମଧ୍ୟ ଯାଞ୍ଚ କରାଯାଉଛି । ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (RWSS) ବିଭାଗକୁ ତୁରନ୍ତ ଏକ ନୂତନ ନଳକୂପ ଖନନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି
Tags:




