ଆଜି ସୁପ୍ରିମକୋର୍ଟରେ ଡିଜିପି ଚୟନ ଶୁଣାଣି

ଆଜି ସୁପ୍ରିମକୋର୍ଟରେ ଡିଜିପି ଚୟନ ଶୁଣାଣି
Samaya Live News Picture
Published On

ନୂଆଦିଲ୍ଲୀ/ଭୁବନେଶ୍ୱର : କିଏ ହେବେ ଓଡ଼ିଶାର ପରବର୍ତ୍ତୀ ଡିଜିପି  ? ହୋଇପାରୁନାହିଁ ରାଜ୍ୟରେ ଡିଜିପି ଚୟନ । ମାମଲା ପହଞ୍ଚିଛି ସୁପ୍ରିମକୋର୍ଟରେ । ଏନେଇ ଆଜି ସୁପ୍ରିମକୋର୍ଟରେ ହେବ ଗୁରୁତ୍ତ୍ୱପୂର୍ଣ୍ଣ ଶୁଣାଣି । ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଦାଏର ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଗତ ସେପ୍ଟେମ୍ବର ୨ରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଥିଲେ ।  ପ୍ରତିପକ୍ଷ ଓକିଲ ରାଜୁ ରାମଚନ୍ଦ୍ରନ ରିପୋର୍ଟ ଦାଖଲ କରିବାକୁ ଅଦାଲତଙ୍କୁ ଆହୁରି ସମୟ ମାଗିଥିଲେ। ଯାହାକୁ ଖଣ୍ଡପୀଠ ମଞ୍ଜୁର କରିଥିଲେ ।

ଡିଜିପି ଚୟନ ପାଇଁ ଯୋଗ୍ୟ ଆଇପିଏସ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବା ବେଳେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିଛନ୍ତି କି ନାହିଁ । ଏହାସହ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଉପରେ ବିଶେଷ ନଜର ରହିବ । ଓଡ଼ିଶା ସରକାର ପ୍ରଥମେ ଡିଜିପି ପଦ ପାଇଁ ଡିଜି ରାଙ୍କର ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାଁ UPSCକୁ ପଠାଇଥିବା ନେଇ କୋର୍ଟରେ ତଥ୍ୟ ରଖାଯାଇଛି ।

ଏହି ତାଲିକାରେ ସୁଧାଂଶୁ ଷଡ଼ଙ୍ଗୀ, ଆର୍.ପି. କୋଚେ ଓ ସୁଶାନ୍ତ କୁମାର ନାଥଙ୍କ ନାଁ ଥିବା ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା । ପରେ ଏହି ତାଲିକାକୁ ବଢ଼ାଇ ୧୧ ଜଣ ଅଧିକାରୀଙ୍କ ନାଁ ପଠାଯାଇଥିଲା । ଏଥିରେ ୮ ଜଣ ADG ରାଙ୍କର ଅଧିକାରୀଙ୍କୁ ସାମିଲ କରାଯିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଆବେଦନକାରୀଙ୍କ ଅଭିଯୋଗ ହେଉଛି, ତୁଳନାତ୍ମକ ଭାବେ କନିଷ୍ଠ ଅଧିକାରୀଙ୍କୁ DGP ଚୟନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ତାଲିକାକୁ ବଢ଼ାଯାଇଥିଲା । ଏହା ୨୦୦୬ର ‘ପ୍ରକାଶ ସିଂହ’ ମାମଲାରେ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ନୀତିର ଉଲ୍ଲଂଘନ ବୋଲି ଆବେଦନକାରୀ ପକ୍ଷ ଯୁକ୍ତି ରଖିଛି ।

ଅନ୍ୟପଟେ ରାଜ୍ୟ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବରିଷ୍ଠ IPS ଅଧିକାରୀଙ୍କ ପଦୋନ୍ନତି ଏକ ସ୍ୱାଭାବିକ ପ୍ରଶାସନିକ ପ୍ରକ୍ରିୟା । ନିର୍ଦ୍ଧାରିତ ଯୋଗ୍ୟତା ପୂରଣ କରୁଥିବା ଅଧିକାରୀଙ୍କୁ ନେଇ UPSCକୁ ସାନି ପ୍ରସ୍ତାବ ପଠାଇବାର ଅଧିକାର ରାଜ୍ୟର ରହିଛି ବୋଲି ସରକାରଙ୍କ ପକ୍ଷରୁ କୋର୍ଟରେ କୁହାଯାଇଛି । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ DGP ପାଇଁ UPSC ୩ ଜଣିଆ ପ୍ୟାନେଲ୍ ଚୂଡ଼ାନ୍ତ କରିବା ପୂର୍ବରୁ ମାମଲାର ଶୁଣାଣି ହେବା ଜରୁରୀ ବୋଲି ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଯୁକ୍ତି ରଖିଥିଲେ । ଏହାପରେ ସୁପ୍ରିମକୋର୍ଟ UPSCକୁ ଓଡ଼ିଶା DGP ପଦ ପାଇଁ ୩ ଜଣିଆ ପ୍ୟାନେଲ୍ ଚୂଡ଼ାନ୍ତ ନକରିବାକୁ କହିଥିଲେ । ପରବର୍ତ୍ତୀ ଶୁଣାଣିରେ ମଧ୍ୟ ଏହି ଅନ୍ତରୀଣ ବ୍ୟବସ୍ଥା ଜାରି ରହିଥିଲା ।

UPSC ଯୋଗ୍ୟ ଅଧିକାରୀଙ୍କ ମଧ୍ୟରୁ ଏକ ପ୍ୟାନେଲ୍ ପ୍ରସ୍ତୁତ କରିଥାଏ ଏବଂ ସେହି ପ୍ୟାନେଲ୍ ରୁ ରାଜ୍ୟ ସରକାର DGP ନିଯୁକ୍ତ କରନ୍ତି । ଆଜିର ଏହି ଶୁଣାଣିରେ ଆମିକସ୍ କ୍ୟୁରି ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ରିପୋର୍ଟ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ।

ସୂଚନାନୁସାରେ, ପୂର୍ବତନ ଆଇପିଏସ ଯୋଗେଶ ବାହାଦୁର ଖୁରାନିଆ ଗତ ଅଗଷ୍ଟ ୧୬ ତାରିଖରେ ପୋଲିସ ମହାନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି । ତେଣୁ ନିୟମିତ ଡିଜିପି ନିଯୁକ୍ତି ନ ହେବା ଯାଏ ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ଅନ୍ତରୀଣ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି । ବରିଷ୍ଠତା ଦୃଷ୍ଟିରୁ କ୍ରାଇମବ୍ରାଞ୍ଚ ଡିଜି ଥିବା ୧୯୯୩ ବ୍ୟାଚର ଆଇପିଏସ  ଅଫିସର ବିନୟତୋଷ ମିଶ୍ରଙ୍କୁ ସରକାର ଇନ ଚାର୍ଜ୍ ଡିଜିପି ଦାୟିତ୍ବ ଦେଇଛନ୍ତି ।

 

Tags: